ନିରୀହ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଦିଗରେ ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଅଟେ : ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରୀଷ୍ମ ଋତୁର ଆଗମନ ହୋଇଛି । ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଛି । ଏବର୍ଷ ଅନ୍ୟ ବର୍ଷ ତୁଳନାରେ ଅଧିକ ରୌଦ୍ରତାପ ପରିଲିକ୍ଷିତ ହେଲାଣି । ଜଙ୍ଗଲରେ ନିଆଁ ଲଗାଇଲେ ନିରୀହ ବନ୍ୟଜନ୍ତୁମାନେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । ବ୍ରହ୍ମପୁର ସର୍କଲରେ ସାତୋଟି ବନଖଣ୍ଡ ଅନ୍ତର୍ଭୁକ୍ତ । ଏହି ସବୁ ବନଖଣ୍ଡରେ ଓ ଜଙ୍ଗଲ ଆଖପାଖରେ ରହୁଥିବା ଜନସାଧାରଣଙ୍କୁ ନିଆଁ ନ ଲଗାଇବା ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ସର୍କଲ ବିଶ୍ଵନାଥ ନୀଳାନ୍ନଭର ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆକଳନ କରାଯାଇ ଜଙ୍ଗଲ ନିଆଁ ପ୍ରଶମନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ସାତୋଟି ଡିଭିଜନରେ ବିଗତ ପାଞ୍ଚବର୍ଷ ମଧ୍ୟରେ ୭ ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିଲା । ସମୟାନ୍ତରରେ ଲୋକଙ୍କ ମଧ୍ୟରେ ସଚେତନତା ବଢୁଛି ଏବଂ ନିଆଁ ଲଗା କମୁଛି । କିନ୍ତୁ ଦୁଃଖର ବିଷୟ ଲୋକଙ୍କର ବହୁ ବର୍ଷର ନିଆଁ ଲଗା ଅଭ୍ୟାସକୁ ସମ୍ପୂର୍ଣ ବନ୍ଦ କରାଯାଇପାରୁନାହିଁ । ଚଳିତ ବର୍ଷ ସାତୋଟି ବନଖଣ୍ଡର ୧୧୪ ସ୍ଥାନର ନିଆଁକୁ ପ୍ରଶମିତ କରାଯାଇସାରିଛି । ପୋଡୁ ଚାଷ ପାଇଁ ନିଆଁ ଲାଗେ । ଆଦିବାସୀ ସମ୍ପ୍ରଦାୟ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଜରିଆରେ ଗ୍ରାମବାସୀଙ୍କୁ ନିଆଁ ନ ଲଗାଇବା ପାଇଁ ସେ ଅନୁରୋଧ କରିଛନ୍ତି । ବ୍ରହ୍ମପୁର ସର୍କଲର ଘଞ୍ଚ ଜଙ୍ଗଲରେ ୬ ହଜାର କିଲୋମିଟର ଫରେଷ୍ଟ ଫାୟାର ଲାଇନ ପ୍ରସ୍ତୁତି କରାଯାଇ ଲୋକକଳା, ବୈଠକ, ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ଜନ ସଚେତନତାକୁ ବ୍ୟାପକ କରାଯାଇଛି । ଏହି ସାତୋଟି ବନଖଣ୍ଡ କର୍ମଚାରୀ, ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଚଳିତ ବର୍ଷ ଜଙ୍ଗଲ ନିଆଁକୁ ତୁରନ୍ତ ପରାହତ କରିବା ପାଖାପାଖି ୬ ଶହଟି ବ୍ରୋୟର, ୪୨ଟି ଯାନ, ୪୦୮ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ତା ସହିତ ସାତୋଟି ବନଖଣ୍ଡର କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର ଜାରି କରାଯାଇଛି । ଜଙ୍ଗଲରେ ନିଆଁ ଲାଗିଥିବା ଜାଣିବା କ୍ଷଣି ତୁରନ୍ତ ଜଣାଇବା ପାଇଁ ସଚେତନ ନାଗରିକମାନଙ୍କୁ ଶ୍ରୀ ନୀଳାନ୍ନଭର ଅନୁରୋଧ କରିଛନ୍ତି । ଜଙ୍ଗଲ ନିଆଁ ଜାଣିବାରେ ବିଭାଗକୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏସ୍ଏଆଇ) ଦ୍ୱାରା ପ୍ରସ୍ତୁତ ଫାୟାର ଆଲର୍ଟ ସିଷ୍ଟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହେଉଛି । ତାସହିତ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମୁଖ୍ୟ କାର୍ଯ୍ୟାଳୟରୁ ସାଟାଲାଇଟ ପ୍ରାପ୍ତ ସୂଚନା ପାଇବା କ୍ଷଣି ନିଆଁକୁ ଯଥାଶୀଘ୍ର ପ୍ରଶମିତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହିତ ଜ଼ିଲ୍ଲାପାଳମାନଙ୍କ ନେତୃତ୍ୱରେ ଜ଼ିଲ୍ଲା ଫାୟାର ପ୍ଲାନ ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ଅଂଚଳରେ ଆବଶ୍ୟକତା ଅନୁଯାୟୀ ବିହିତ ପଦକ୍ଷେପ ନିଆଯାଉଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସନ୍ନି ଖୋଖର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଓ ବିଭାଗୀୟ ଅଧିକାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ନିଆଁକୁ ଆୟତ୍ତ କରିବାକୁ ଯିବା ସମୟରେ ସୁରକ୍ଷିତ ପୋଷାକ ପରିଧାନ କରିବା ସହିତ ବ୍ରୋୟର ଓ ଫାୟାର ବଲ୍ର ସମୁଚିତ ବ୍ୟବହାର କରିବାକୁ ସମ୍ପୃକ୍ତ ସମସ୍ତଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।