ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଦ୍ୱାରା ପରିଚାଳିତ ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ ଶୁକ୍ରବାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଯାହାକି ଓଡିଶାର ଏକ ମାତ୍ର ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଦ୍ୱାରା ପରିଚାଳିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରି ଦେଶ ବିଦେଶରେ ମଧ୍ୟ ନିୟୋଜିତ ହୋଇ ପ୍ରଗତିଶୀଳ ଭାରତ ବର୍ଷରେ ସୁନାମ ଅର୍ଜନ କରି ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ଆସୋସିଏଟ ପ୍ରଫେସର ତଥା ଛାତ୍ର କମିଟି ପରାମର୍ଶଦାତ୍ରୀ ଡ଼. ଧରିତ୍ରୀ ଚୌଧୁରୀ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ରଖିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦେ ଉତ୍କଳ ଜନନୀ ଜୟଗାନରୁ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବେ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଓଡ଼ିଶାରେ ମତ୍ସ୍ୟ ସମ୍ପଦ କ୍ଷେତ୍ରର ଉନ୍ନତି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଏହି ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ । ଯଥା ସମ୍ଭବ ଅନୁଦାନ ପ୍ରଦାନ କରି ଏହାର ସଫଳ ରୂପାୟନ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମତ୍ସ୍ୟସମ୍ପଦ କ୍ଷେତ୍ରରେ ଓଡିଶା ଭାରତ ବର୍ଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମତ୍ସ୍ୟ ସମ୍ପଦର ବିକାଶ ପାଇଁ ଓଡ଼ିଶାରେ ଆଉ ଏକ ନୂଆ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁର ଠାରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି ବୋଲି କୁହାଯାଇଛି । ବଜେଟରେ ମତ୍ସ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ମତ୍ସ୍ୟ ସମ୍ପଦର ଉନ୍ନତି ହେଲେ ଚାଷୀର ଉନ୍ନତି ହେବ, ଚାଷୀର ଉନ୍ନତି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଦକ୍ଷମାନବ ସମ୍ବଳ ସୃଷ୍ଟି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ସୃଷ୍ଟି ବୋଲି ମତପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି । ଛାତ୍ରଛାତ୍ରୀମାନେ ସଫଳତା ପାଇବା ପାଇଁ ପରିଶ୍ରମ, ବିନମ୍ରତା ଓ ସମୟର ସଦୁପଯୋଗ କରିବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ରାଉଳ ପରାମର୍ଶ ଦେଇଛନ୍ତି । ମହାବିଦ୍ୟାଳୟର ଡିନ୍ ପ୍ରଫେସର ନିତ୍ୟାନନ୍ଦ ଦାସ ନିଜ ବକ୍ତବ୍ୟରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓଡିଶାର ଗର୍ବ, ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡିଗ୍ରୀ ପାଇଲା ପରେ ରାଜ୍ୟ, ରାଜ୍ୟ ବାହାରେ ତଥା ଦେଶବିଦେଶରେ ଭିନ୍ନ ଭିନ୍ନ ପଦପଦବୀରେ ରହି ସୁନାମ ଅର୍ଜନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ର କମିଟିର ଚେୟାରମ୍ୟାନ ଦେବବ୍ରତ ପଣ୍ଡା ନିଜ ବକ୍ତବ୍ୟରେ ବିଗତ ବର୍ଷରେ ମହାବିଦ୍ୟାଳୟର ଉନ୍ନତି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ ନେଇ ଓୟୁଏଟିର କୁଳପତିଙ୍କୁ ସାଧୁବାଦ ଜଣାଇଛନ୍ତି । ଛାତ୍ର କମିଟିର ସଦସ୍ୟ ଯେତେବେଳେ ବି ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଯାଇଛନ୍ତି, ମନ୍ତ୍ରୀ ମହୋଦୟ ଅସୁବିଧା ଗୁଡିକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତି । ତେଣୁ ଛାତ୍ର କମିଟିର ଚେୟାରମ୍ୟାନ ମୁଖ୍ୟ ଅତିଥି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଉ କିଛି ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଛାତ୍ର କମିଟି ଦ୍ୱାରା ପ୍ରକାଶିତ ମତ୍ସ୍ୟକନ୍ୟା ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା । କ୍ରୀଡା, କଳା, ସାଂସ୍କୃତିକ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ର କମିଟି ଦ୍ୱାରା ଆୟୋଜିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଲିଟେରାରୀ – ବିଭାସ ରଞ୍ଜନ ଦାସ, ଡ୍ରାମାଟିକ – ବିଭୁ ସୁନ୍ଦର ସାହୁ, ଆଥଲେଟିକ (ପୁରୁଷ)- ଭବାନୀ ଶଙ୍କର ନାଏକ ଓ ଆଥଲେଟିକ (ମହିଳା)- ଅଲିଶା ନାୟକଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଛାତ୍ର କମିଟିର ସଂଯୋଜକ ପ୍ରିତୀଦୀପନ ମେଣ୍ଡିଲି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭୁ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଡିନ୍, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରାମର୍ଶ ଓ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବରେ ବାର୍ଷିକ ଉତ୍ସବ ପାଳନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ସନ୍ଧ୍ୟା ପରିବେଷିତ ହୋଇ ଏହି ସମାରୋହରେ ଉଲ୍ଲାସ ଓ ଉଦ୍ଦୀପନା ଆଣିଦେଇଛି ।
Prev Post