ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବ୍ରହ୍ମପୁର (ଡିଏଲଏସଏ), ଗଞ୍ଜାମ, ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ ତାଲୁକ୍ ଆଇନ ସେବା କମିଟି (ଟିଏଲଏସସି) ସ୍ତରରେ ଆସନ୍ତା ତା ୧୪.୦୩.୨୦୨୬ରିଖ (ଶନିବାର) ଦିନ ଜାତୀୟ ଲୋକ ଆଦାଲତ ଆୟୋଜିତ ହେବ । ଏହି ଜାତୀୟ ଲୋକ ଅଦାଲତକୁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଓଏସଏଲଏସଏ), କଟକଙ୍କ ନିର୍ଦ୍ଦେଶାନୁସାରେ ଆୟୋଜନ କରାଯାଉଛି । ଏହି ଜାତୀୟ ଲୋକ ଅଦାଲତରେ ଦାଖଲ ହୋଇଥିବା ଓ ପ୍ରି-ଲିଟିଗେସନ୍ ମାମଲାମାନଙ୍କୁ ସମ୍ମତି ଭିତ୍ତିକ ଭାବରେ ସମାଧାନ କରାଯିବ । ବିଦ୍ୟୁତ ବିଲ୍, ବ୍ୟାଙ୍କ ଋଣ ଆଦାୟ, ମୋଟର ଦୁର୍ଘଟଣା ଦାବି ମାମଲା, ବିବାହିକ ବିବାଦ, ଚେକ୍ ବାଉନ୍ସ ମାମଲା, ଶ୍ରମ ବିବାଦ, ରାଜସ୍ୱ ମାମଲା ସହିତ ବିଭିନ୍ନ ପ୍ରକାରର ସମ୍ମତିଯୋଗ୍ୟ ମାମଲାମାନଙ୍କୁ ଶୀଘ୍ର, ସହଜ ଓ ନିଶୁଳ୍କ ଭାବେ ନିର୍ଣ୍ଣୟ କରାଯିବ । ଲୋକ ଅଦାଲତରେ ମାମଲା ନିର୍ଣ୍ଣୟ ହେଲେ ଆପିଲ୍ ଶୁଳ୍କ ନାହିଁ ଓ କୋର୍ଟ ଫି ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ସମୟ ଓ ଧନର ସଞ୍ଚୟ ସହିତ ଦୁଇପକ୍ଷୀୟ ସମ୍ମତିରେ ବିବାଦର ସମାଧାନ ସମ୍ଭବ ହୁଏ । ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଯେକୌଣସି ଚାଲୁଥିବା କିମ୍ବା ପ୍ରି-ଲିଟିଗେସନ୍ ମାମଲାକୁ ଜାତୀୟ ଲୋକ ଆଦାଲତରେ ରଖି ସମାଧାନ କରିବା ପାଇଁ ସମ୍ବନ୍ଧିତ ଅଦାଲତ କିମ୍ବା ଡିଏଲଏସଏ/ଟିଏଲଏସସି କାର୍ଯ୍ୟାଳୟ ସହିତ ସମ୍ପର୍କ କରନ୍ତୁ । ଏହି ସୁଯୋଗକୁ ସବୁଠାରୁ ଉପଯୋଗ କରି ସ୍ୱଇଚ୍ଛାମୂଳକ ଓ ସହଜ ପ୍ରକ୍ରିୟାରେ ବିବାଦର ନିରାକରଣ କରିବା ପାଇଁ ଡିଏଲଏସଏ, ଗଞ୍ଜାମ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.