ଜିଲ୍ଲା ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ : ଯୋଗ ଦେଲେ ମନ୍ତ୍ରୀ ରବି ନାଏକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚନ୍ଦ୍ରମା ହୋଟେଲ ସ୍ଥିତ ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏଥିରେ ଯୋଗଦେବା ସହ ସରକାରଙ୍କ ଦ୍ୱାରା ଲୋକାଭିମୁଖୀ ଆର୍ଥିକ ବଜେଟ ବିଷୟରେ ଓ ସରକାରଙ୍କ ନୂତନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକମାନେ ଦୀର୍ଘ ଦିନର ଦାବୀ ବିନିକାକୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ, ଦୀର୍ଘ ୧୨ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଥିବା ଏକ ମାତ୍ର ସରକାରୀ କନିଷ୍ଠ ମହିଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ଐତିହାସିକ ପୁଣ୍ୟତୀର୍ଥ ପାପକ୍ଷୟ ଘାଟର ଉନ୍ନତି ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ ବିନିକାବାସୀଙ୍କ ନ୍ୟାର୍ଯ୍ୟଦାବୀ ଆଗାମୀ ଦିନରେ ନିଶ୍ଚିତ ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ପରେ ବୁଦ୍ଧିଜୀବୀ ସମ୍ବିଳନୀରେ ବୁଦ୍ଧିଜୀବୀ ତଥା ଅବସର କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ପ୍ରଶ୍ନ ଉତ୍ତରରେ ଶିକ୍ଷାବିତ ମାନେ ୩୦ ବର୍ଷ ଚାକିରୀ କରି ପେନସନ ମିଳୁ ନଥିବା, ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ଥିବା ଓ ମହାନଦୀର ସୁରକ୍ଷା ବିଷୟରେ ପ୍ରଶ୍ନ ଉତଥାପନ କରିଥିଲେ । ମନ୍ତ୍ରୀ ଶିକ୍ଷା ବିଭାଗରେ ଅଧିକ ବଜେଟ ଥିବା କଥା କହିଥିବା ବେଳେ ଯଦି ସରକାରଙ୍କ କିଛି ଭୁଲ ଭଟ୍ଟକା ହେଉଥିଲେ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ବୁଦ୍ଧିଜୀବି ସମ୍ମିଳନୀରେ ମନ୍ତ୍ରୀ ରବି ନାରାୟଣ ନାଏକ, ସୋନପୁର ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶଥପଥୀ, ଜିଲ୍ଲା ଭାଜପା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମହାକୁର, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ଅଶୋକ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଲତା, ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵମ୍ବର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ବିଜେପି କର୍ମୀ, ବୁଦ୍ଧିଜୀବୀ ଏବଂ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.