- ବିବାହ ପରେ କିଛି ଦିନରେ ଘଟିଲା ଘଟଣା, ଥାନାରେ ଲିଖିତ ଅଭିଯୋଗ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରରେ ଜଣେ ନବ ବିବାହିତା ପ୍ରେମିକ ସହିତ ଫେରାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମଳ ଅଞ୍ଚଳରେ ଏପରି ଘଟଣା ଘଟିବା ପରେ, ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ଏହିପରି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର–୧ ଧୋବାପଡ଼ା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓରଫ ବିନି ବେହେରା ଗତ ୮ ତାରିଖରେ ମୁରିବାହାଲ ଥାନା ଅଧୀନ କର୍ଲା ଗ୍ରାମର ମୁକେଶ ବିଶ୍ୱାଳଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ବିବାହ ପରେ ପ୍ରଥାନୁସାରେ ସେ କିଛିଦିନ ପାଇଁ ନିଜ ପିତୃଗୃହ କଣ୍ଟାବାଞ୍ଜିକୁ ଆସିଥିଲେ । କିନ୍ତୁ ଗତ ୨୨ ତାରିଖରେ ବାପାଙ୍କ ଘରେ ଥିବାବେଳେ ଲକ୍ଷ୍ମୀପ୍ରିୟା ହଠାତ୍ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି ଯେ, ପ୍ରଶାନ୍ତ ମଛଖଣ୍ଡ ନାମକ ଜଣେ ଯୁବକ ସହିତ ସେ ଫେରାର ହୋଇଥିବେ । ସ୍ଥାନୀୟ ମହଲରେ ପ୍ରଶାନ୍ତଙ୍କୁ ତାଙ୍କ ପ୍ରେମିକ ବୋଲି ଚର୍ଚ୍ଚା ହେଉଛି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଘଟଣାଟି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ, ପୁଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।