ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମାତୃଭାଷାର ସୁରକ୍ଷା, ନିର୍ଭୁଲ ଉପଯୋଗ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ଏହାର ପ୍ରସାର ନିମନ୍ତେ ଶପଥ ପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦା ପଂଚାୟତ ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ମାତୃଭାଷା ଦିବସ ସମାବେଶ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସୁସାହିତ୍ୟିକା ସରୋଜିନୀ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରାର୍ଥନା ସଭା ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଅଭିଭାବକ ଏବଂ ଶିକ୍ଷାକମିଟିର ସଭାପତି ଅଞ୍ଜନ ପରିଡାଙ୍କ ସମେତ ସଭ୍ୟ, ସଭ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ସମ୍ବିଧାନର ପ୍ରସ୍ତାବନା ଏବଂ ମାତୃଭାଷାର ଗୁରୁତ୍ୱକୁ ଆଧାରକରି ଶପଥ ପାଠ କରାଯାଇଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଳ୍ପ କଥନ, ଗୀତ, କବିତା ଲିଖନ, ପୋଷ୍ଟର ତିଆରି, ତର୍କ, କୁଇଜ୍, ରଚନା ଲିଖନ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଛାତ୍ର ଛାତ୍ରୀମାନେ ରାମାୟଣ ଏବଂ ମହାଭାରତର କଥାବସ୍ତୁର ନାଟ୍ୟାଭିନୟ ପ୍ରଦର୍ଶନ କରିଥିଲେ । ମନୁଷ୍ୟ ଜୀବନରେ ମାତୃଭାଷା ଶିକ୍ଷାର ମହତ୍ତ୍ୱ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ବୁଝାଇକହିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷକ ଶରତ କୁମାର ପ୍ରଧାନ ପ୍ରତିଯୋଗିତା ପରିଚାଳନା କରିଥିଲେ ।