ବାଙ୍କୀ ଠାକୁରାଣୀଙ୍କ ପୀଠରେ ସ୍ୱରଚିତ ଭକ୍ତି ଗୀତିକବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଷୋଡ଼ଶ ଶତାବ୍ଦୀରେ ମହାନଦୀର ପ୍ରବଳ ବନ୍ୟା ସମୟରେ ବାଙ୍କୀରୁ ପଥର ଡଙ୍ଗାରେ ଆସି ପୁରୀ ଜିଲ୍ଲାରେ ପ୍ରବାହିତ ଦୟାନଦୀର ଧାର ଲୁଣାନଦୀ ତୀରବର୍ତ୍ତୀ ଡେଲାଙ୍ଗ ବ୍ଲକର ଡାକପଡା ଗ୍ରାମରେ ଆବିର୍ଭୁତା ହୋଇଥିବା ” ମା’ ବାଙ୍କୀ ଠାକୁରାଣୀ ମଣ୍ଡପରେ ” ମାତୃଶକ୍ତିର ପରାକାଷ୍ଠା ଆଧାରିତ ସ୍ୱରଚିତ ଭକ୍ତି ଗୀତିକବିତା ଆସର ” ରବିବାର ସମ୍ପନ୍ନ ହୋଇଛି । ଡେଲାଙ୍ଗ ପ୍ରେସ କ୍ଲବ ଓ ଡେଲାଙ୍ଗ ସାହିତ୍ୟ ସଂସଦ ମିଳିତ ଉଦ୍ୟମରେ ଆୟୋଜିତ ଏହି ସାରସ୍ୱତ ଆସରରେ ସାହିତ୍ୟ ସଂସଦ ସଭାପତି ଆଧ୍ୟାତ୍ମିକ ପ୍ରବଚକ ଶରତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଡେଲାଙ୍ଗ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ମହାନ୍ତି, ମୁଖ୍ୟବକ୍ତା ଭୁବନେଶ୍ୱରର ବିଶିଷ୍ଟ ଗୀତିକବି ବିପିନ ମହାନ୍ତି, ସମ୍ମାନିତ ଅତିଥି ବିଶିଷ୍ଟ ନାଟ୍ୟକାର, କବି ବିଭୁତି ଭୂଷଣ ପଟନାୟକ, ମା’ ବାଙ୍କୀ ଠାକୁରାଣୀଙ୍କ ପୌରାଣିକ ଆଖ୍ୟାନ ଓ ରହିଥିବା କିମ୍ବଦନ୍ତୀ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ଧାଉଡିଆ ଅତିଥି ଓ ଆମନ୍ତ୍ରିତ ସାରସ୍ୱତ ସାଧକ, ସାଧିକାଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ପ୍ରେସ କ୍ଲବ ସଭାପତି ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମର ସୁଦୂରପ୍ରସାରୀ ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେବା ସହ ସନ୍ନିକଟ ସାନ ଆଙ୍କୁଲା ଗ୍ରାମର ଅବସରପ୍ରାପ୍ତ ନାବାର୍ଡ ଉପ ମହାପ୍ରବନ୍ଧକ ଜିତେନ୍ଦ୍ରିୟ ପଟନାୟକଙ୍କ ଏହି କାର୍ଯ୍ୟକ୍ରମର ଅଭିପ୍ରେରଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ଲଛମନ ଦଳେଇ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସ୍ୱନାମଧନ୍ୟ ବ୍ୟଙ୍ଗକବି ଶରତଚନ୍ଦ୍ର ମହାପାତ୍ରଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଏହି ଭକ୍ତି ଗୀତିକବିତା ଆସରକୁ ସାହିତ୍ୟ ସଂସଦ ସମ୍ପାଦିକା ତଥା କବିୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଓ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ କବି ଅଜୟ କୁମାର ବଳିୟାରସିଂହ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା, ସଭାପତି, ସଂଯୋଜକ, ସଂଯୋଜିକାଙ୍କ ସହ କବି ପ୍ରକାଶ କୁମାର ମିଶ୍ର, ଦ୍ୱିତିକୃଷ୍ଣ ମହାନ୍ତି, ପ୍ରଭାତ କୁମାର ସେଠି, ଅଧିକାରୀ ସ୍ୱାଇଁ, ସାଇ ସାହିତ୍ୟ ସଂସ୍ଥାନ ସଭାପତି ତଥା କବି ସୁଦର୍ଶନ ପ୍ରଧାନ, ରୋହିତ କୁମାର ଚମ୍ପତି, ପ୍ରସନ୍ନ ତ୍ରିପାଠୀ, ହରିହର ବଳବନ୍ତରାୟ, ଗଣେଶ ଗୁମାନସିଂହ, ଅଶୋକ କୁମାର ବେହେରା, ନିରଞ୍ଜନ ସାମନ୍ତରାୟ, ଅଭୟ ଚରଣ ସାହୁ, କବୟିତ୍ରୀ ମଲ୍ଲୀକା ସିଂହ, ନର୍ମଦା ଦୋରା, ଉର୍ବଶିନୀ ନାୟକ, ରଞ୍ଜନା ଦେଈ, ସରୋଜିନୀ ଜେନା, ଶିଶୁ ସାହିତ୍ୟ ସଂସଦ ସମ୍ପାଦିକା ତଥା କବିୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ତିରିଶରୁ ଉର୍ଦ୍ଧ୍ୱ କବି ଓ କବିୟିତ୍ରୀ ସୁଲଳିତ ସ୍ୱରରେ ସ୍ୱରଚିତ ଭକ୍ତି ଗୀତିକବିତା ଆବୃତ୍ତି କରିଥିଲେ । ଲକ୍ଷ୍ମୀଧର ଖଟେଇ ଓ ହରିହର ଖଟେଇ ବାଦ୍ୟଯନ୍ତ୍ରରେ ସହଯୋଗ ଦେଇଥିଲେ । ପୀଠ ଉନ୍ନୟନ କମିଟିର ଅମିନ ରାଉତ, ଦୀନବନ୍ଧୁ ଖଟେଇ, ସାମ୍ବାଦିକ ଗଗନ ଖଟେଇ, ସିଦ୍ଧାର୍ଥ ବଳବନ୍ତରାୟ ପ୍ରମୁଖ ଗୀତିକବିତା ଆସର ଆୟୋଜନରେ ପ୍ରମୁଖ ସହଯୋଗ ଦେଇଥିଲେ । ପ୍ରାରମ୍ଭରେ ବ୍ୟଙ୍ଗକବି ଗମାତିଆ ଶରତ ମହାପାତ୍ରଙ୍କ ପକ୍ଷରୁ ବର୍ଷୀୟାନ ସାମ୍ବାଦିକ ତଥା କବି ପ୍ରସନ୍ନ ତ୍ରିପାଠୀଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲା ବେଳେ ଆୟୋଜକ ୨ ସଂଗଠନ ପକ୍ଷରୁ ସମସ୍ତ କବି, କବୟିତ୍ରୀ, ସହଯୋଗୀଙ୍କୁ କୃତଜ୍ଞତା ପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆବୃତ୍ତି ହୋଇଥିବା ସମସ୍ତ କବିତାକୁ ଏକ ପୁସ୍ତକରେ ପ୍ରକାଶ କରାଯିବା ସହ ଆଗାମୀ ବାର ବର୍ଷ ପର୍ଯ୍ୟନ୍ତ ମା’ ଙ୍କ ପୀଠରେ ଏପରି ଗୀତିକବିତା ଆସର ଆୟୋଜନ କରିବା ପାଇଁ ସଭାରେ ମତୈକ୍ୟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.