ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୁପେ ଏସଡିପିଓ ମଦନମୋହନ ପ୍ରଧାନ, ବିଡିଓ ଅଙ୍କୁର ଅଭିଳାଷ, ଖଣ୍ଡପଡ଼ା ବ୍ଲକ ସାସଂଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ ବିଡାନାସି କ୍ଲବ କଟକ, ଭଞ୍ଜନଗର ଫୁଟବଲ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିବା ଜଣାଯାଇଛି । ମୁଖ୍ୟ ରେଫରୀ ଭାବେ ବରିଷ୍ଠ କ୍ରୀଡାବିତ ବିଜୟ କୁମାର ମଙ୍ଗରାଜ ମ୍ୟାଚକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ସରୋଜ କୁମାର ମହାରଣା ଓ ପ୍ରସନ୍ନ ନାୟକ ଚତୁର୍ଥ ରେଫରୀ ଭାବେ ସୁବାସ ବେହେରା ଦାୟୀତ୍ୱ ତୁଲାଇଥିଲେ । ଲୋକପ୍ରିୟ ଦିବଂଗତ ଜନନେତା ମହେନ୍ଦ୍ର ସ୍ୱାଇଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତ ୬ ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଥିବା ବେଳେ ଆସନ୍ତାକାଲି ସୋମବାର ବଜରଙ୍ଗୀ କ୍ଲବ ଘାଟିକିଆ ଓ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ୨ୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକଙ୍କ ସୁତ୍ରରୁ ଜଣାପଡିଛି ।