ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରିକାପଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଅଲେଖ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କୁଷ୍ଠ ରୋଗ ଉପରେ ବିସ୍ତୃତ ଆଲୋଚନା କରି ବୈଜ୍ଞାନିକ ତଥ୍ୟ ଦେଇ ବିଭିନ୍ନ ଭ୍ରାନ୍ତଧାରଣାରୁ ନିବୃତ ରହିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରିତା ରଥ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବୈଜ୍ଞାନିକ ଜ୍ଞାନ ଓ ସଠିକ୍ ତଥ୍ୟ ଆବଶ୍ୟକ ତେଣୁ ସଦାସର୍ବଦା ସଠିକ୍ ତଥ୍ୟ ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ କରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ଡା, ବବିତା ପଟ୍ଟନାୟକ, ଅଶୋକ କୁମାର ପଣ୍ଡା ପ୍ରମୁଖ ମତ ରଖିଥିଲେ । କନିଷ୍ଠ ଚିକିତ୍ସାଳୟ ପରିଚାଳକ ଗଣେଶ ନାହାକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ପରାମର୍ଶଦାତା ଡି. ଦେବହରି ରେଡ଼ି ପରିକଳ୍ପନା ଓ ସଂଯୋଜନା କରିବା ବେଳେ ପି ତାର୍କେଶ ରାଓ, ସହଦେବ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କୁଇଜ୍ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅଞ୍ଜନା ବେହେରା, ଲକ୍ଷ୍ମୀ ନାୟକ, ଓମ୍ ନାୟକ ଓ ଦୀପ୍ତି ସାହୁ ପ୍ରମୁଖଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.