ମୁରିବାହାଲ ବ୍ଲକ ଅଞ୍ଚଳରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

  • ପଞ୍ଚାୟତି ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ତଥା ଗଣତନ୍ତ୍ର ଦିବସ ଧୁମଧାମର ସହ ମହାସମାରୋହରେ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟାଳୟରେ ଏହି ଦିବସକୁ ପାଳନ କରିବା ପରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ଥାନା ଆଇଆଇସି ବୁଲୁ ମୁଣ୍ଡା, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ)ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗ ଓ ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସଭାପତି ଫାଲଗୁନୀ ହାତୀଙ୍କ ନେତୃତ୍ୱରେ ବର୍ତ୍ତମାନର ଅବକ୍ଷୟମୁଖି ସାମାଜିକ ଅବ୍ୟବସ୍ଥା (ନେତା+କର୍ପୋରେଟର=ବେକାରୀ, ଚାଷୀ ସମସ୍ୟା) ସମ୍ପର୍କିତ ମେଢ଼(ଝାଙ୍କି)ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ୟାରେଡର ବିଚାରକ ଥିବା ଅଗ୍ନିଶମ ବିଭାଗ ଓଆଇସି ଶ୍ରୀକାନ୍ତ ସେଠ, ଗୁଲମି ଫରେଷ୍ଟର ସତ୍ୟମ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତିଙ୍କ ଦ୍ଵାରା ୧ମ, ୨ୟ ଓ ୩ୟ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟଗୁଡ଼ିକୁ ବେଷ୍ଟ ପ୍ୟାରେଡ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ହାଇସ୍କୁଲର ପୂର୍ବତନ ବିଜ୍ଞାନ ଶିକ୍ଷକ ସ୍ୱର୍ଗତ ବାଉରୀବନ୍ଧୁ ଶତପଥୀ ଟ୍ରଫି ତାଙ୍କ ଧର୍ମପତ୍ନୀ ଅଞ୍ଜଳି ଶତପଥୀ ଓ ବିଡ଼ିଓ ଶ୍ରୀମତୀ ସେଠୀଙ୍କ ଦ୍ଵାରା ସ୍ୱତନ୍ତ୍ର ରୁପେ ପ୍ରଦାନ କରାଯାଇଥିଲା । ଗ୍ରୁପ୍ କ୍ୟାପଟେନ ତଥା ନୂଆଦିଲ୍ଲୀ ଜାତୀୟ ପ୍ୟାରେଡ ଅଂଶଗ୍ରହଣକାରୀ ଛାତ୍ର ପ୍ରୀତମ ବଘାରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସଏସଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଓଏଲ୍ଏମ ବିପିଏମ୍ ଡ.ଗୋପାଳକୃଷ୍ଣ ଦୀପ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ପ୍ରଫୁଲ୍ଲ କୁମାର ବଘାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ଜେଆରଏ ଝସକେତନ ତାଣ୍ଡି, ରାଜ ସିଂ ବାବୁ, ରୂପେଶ ଷାଣ୍ଡ, ସମାଜସେବୀ ଅଗସ୍ତି ବଘାର, ମକୁନ୍ଦ ବଗର୍ତ୍ତି, ସରୋଜ ସାହୁଙ୍କ ସହ ବ୍ଲକର ସମସ୍ତ ଖେଳ ଶିକ୍ଷକ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ, ଅଗ୍ନିଶମ, ସ୍ଵାସ୍ଥ୍ୟ ବିଭାଗ, ଜନମୁକ୍ତି ଅନୁଷ୍ଠାନ ଓ ଓଏଲଏମ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିପିଏମ ଡ.ଦୀପ ଧନ୍ୟବାଦ ଦେଇଥିଲେ । ଏହା ପୂର୍ବରୁ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ ଆଦିରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତଗୁଡ଼ିକରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଏଡିଇଓ, ଯୋଗାଣ ସହାୟକ, ଜିଓ ଟେଗ, ୱାର୍ଡ ସଭ୍ୟସଭ୍ୟା,ଏମବିକେ, ସିଆରପି ପ୍ରମୁଖଙ୍କ ଦ୍ଵାରା ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଓ ଅମୃତ ସରୋବରରେ ୭୭ତମ ସାଧାରଣତନ୍ତ୍ର ଦିବସ ତଥା ଗଣତନ୍ତ୍ର ଦିବସକୁ ଅତି ଜାକଜମକର ସହ ପାଳନ କରାଯାଇଥିଲା ।

Leave A Reply

Your email address will not be published.