ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଅକ୍ସିଜନ୍ ପ୍ଲାଣ୍ଟ ଅଚଳ : ରୋଗୀ ହନ୍ତସନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୪ ମାସ ହେଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅକ୍ସିଜନ୍ ପ୍ଲାଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି । ଏହା ଏକ ସଂଗ୍ରହାଳୟ ଭଳି ଜନସାଧାରଣଙ୍କ ନିମନ୍ତେ ଦୃଶ୍ୟମାନ ହୋଇଛି । ଛତ୍ରପୁର ହସ୍ପିଟାଲର ସ୍ୱାସ୍ଥ୍ୟ ସେବାରେ ରୋଗୀସେବାରେ ବ୍ୟାହତ ହୋଇଛି । ରୋଗୀ ଅସୁସ୍ଥ ହୋଇ ପଡିଲେ, ମୃତ୍ୟୁ ମୁଖରେ ପଡ଼ିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ତେଣୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ଏବଂ ଜନଅସନ୍ତୋଷ ବୃଦ୍ଧି ପାଇଛି । ଛତ୍ରପୁର ମେଡ଼ିକାଲର ଅନ୍ତଃ-ବିଭାଗ, (ଇନ୍-ଡୋର), ଆଶୁ ଚିକିତ୍ସା ବା’ ଆଉଟ୍-ଡୋର ଜରୁରୀକାଳୀନ ବିଭାଗକୁ ଏହି ଅକ୍ସିଜନ୍ ପ୍ଲାଣ୍ଟରୁ ରୋଗୀ ମାନଙ୍କ ସେବାରେ ଅମ୍ଳଜାନ୍ ଯୋଗାଇ ଦିଆଯାଉଥିଲା । ଯାହା ଯୋଗାଇବାରେ ରୋଗୀ ଅସୁସ୍ଥ ହୋଇପଡିଲେ ଏହି ପ୍ଲାଣ୍ଟ ସୁବିଧା ସୁଯୋଗ ଓ ସହଜସାଧ୍ୟ ହୋଇପାରିଥିଲା । ପାଖାପାଖି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ଅକ୍ସିଜନ୍ ପ୍ଲାଣ୍ଟ । କିନ୍ତୁ ଗତ ସେପ୍ଟେମ୍ବର ମାସ ଠାରୁ ଅଚଳ ହୋଇଥିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ହସ୍ପିଟାଲ୍ ଉଚ୍ଚକର୍ତ୍ତୃପକ୍ଷ ତାହାକୁ କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଛନ୍ତି । ଛତ୍ରପୁର ମେଡ଼ିକାଲରେ ୬ରୁ ଅଧିକ ଚିଠି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସି.ଡ଼ି.ଏମ୍.ଓ.)ଙ୍କ କାର୍ଯ୍ୟାଳୟକୁ ଗଲା ପରେ ମଧ୍ୟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ମହୋଦୟ ଏବେ ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା ଏବଂ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତେବେ ଅକ୍ସିଜନ୍ ପ୍ଲାଣ୍ଟ ଚାଲିବାର ତ୍ଵରାନିତ୍ଵ କାର୍ଯ୍ୟକ୍ରମ କିପରି ହେବ ବୋଲି ସମସ୍ତେ ଚିନ୍ତିତ ଅଛନ୍ତି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଅକ୍ସିଜନ୍ ପ୍ଲାଣ୍ଟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ବିଶେଷ ଧ୍ୟାନ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.