jayashree

ଭୀମଟିକିରାରେ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଭୀମଟିକିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଠାକୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ତଥା ଶିକ୍ଷା ସହିତ ସାଂସ୍କୃତିକ ଓ ସାହିତ୍ୟିକ ରୁଚିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଧାନ ଶିକ୍ଷକ କୈଳାଶ ସେଟଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭୀମଟିକିରା ସରପଞ୍ଚ ଶ୍ରୀମତୀ ଜେମାଦେଇ ସାହୁ ମୁଖ୍ୟ ଅତିଥି, ଭୀମଟିକିରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦ୍ୱାରି, ନକୁଳ ଧରୁଆ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶରେ ସୁରଭି କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମତପ୍ରକାଶ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଏ.ବି.ଇ.ଓ. ଗଞ୍ଜଳୁ ମିର୍ଦ୍ଧା ଓ ଜଗତ ମଲ୍ଲିକ ସମ୍ମାନିତ ଅତିଥି, ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ ଶିକ୍ଷାର ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମହୋତ୍ସବ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ଏକ ଉତ୍କୃଷ୍ଟ ମଞ୍ଚ ଭାବେ ପରିଗଣିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ବକ୍ତୃତା, ତର୍କ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ସହ ଉତ୍ସାହିତ କରାଯାଇଥିଲା । ଭୀମଟିକିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଉତ୍କଳ ସାହୁ ଓ ତାଙ୍କ ଧର୍ମ ପତ୍ନୀ ମାମି ପଧାନ ଛାତ୍ରଛାତ୍ରୀ ମାନଂକୁ ପ୍ରୀତି ଭୋଜନ ପ୍ରଦାନ କରି ଉତ୍ସାହିତ କରିଥିଲେ । ଅନ୍ଧାରିବାଞ୍ଜି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଅନିଲ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.