ଡୁଙ୍ଗୁରିପାଲି, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଳକଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିଦିବାତ୍ମକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବେହେରାମାଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁରେନ୍ଦ୍ର କୁମାର ରଥ ଉଦଘାଟନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରଥ କର୍ମଶାଳାର ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ ଓ କର୍ମଶାଳାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶ୍ରେଣୀ ଗୃହରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ବିଷୟରେ ଜଣାଇଥିଲେ । କର୍ମଶାଳାରେ ଶିକ୍ଷୟିତ୍ରୀ ରେଣୁକା ବେରିହା, ବନ୍ଦିତା ପଣ୍ଡା, ମୀନା ପଧାନ, ମଧୁମିତା ବିଶ୍ୱାଳ, ସନ୍ତୋଷିନୀ ସେଠୀ, ଶିକ୍ଷକ ହିମାଂଶୁ ନାୟକ ଓ ହେମନ୍ତ ଭୋଇ କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ସୁନ୍ଦର ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିକରଣରେ ଭାଗ ନେଇଥିଲେ । ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ବ୍ୟବହାର ଯୋଗ୍ୟ ବିଭିନ୍ନ ଖେଳଣା ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା । ପ୍ରସ୍ତୁତ ହୋଇଥିବା ଶିକ୍ଷଣ ସାମଗ୍ରୀକୁ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଏହାର ବ୍ୟବହାର ପ୍ରଣାଳୀ ବିଷୟରେ ଶିକ୍ଷା ଦିଆଯାଇଥିଲା ।