ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ବଳଭଦ୍ର ପ୍ରସାଦ ପଞ୍ଚାୟତବାସୀ ଜଙ୍ଗଲ କିସମ ଜମିରେ ନିର୍ମାଣାଧୀନ ନୂତନ କଲ୍ୟାଣମଣ୍ଡପ ଓ କ୍ରୀଡାଙ୍ଗନ କାର୍ଯ୍ୟକୁ ତୀବ୍ର ବିରୋଧ କରି ଆସୁଥିବା ଜଣାଯାଇଛି । ତେବେ ବାରମ୍ବାର ଏ ସଂର୍ପକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ୱେ ମଧ୍ୟ ଖଣ୍ଡପଡ଼ା ବ୍ଲକ ଓ ତହସିଲ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ବଳଭଦ୍ର ପ୍ରସାଦ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବିଭିନ୍ନ ସ୍ଥାନରେ ଏକର ଏକର ସରକାରୀ ଜାଗା ମହଜୁଦ ଥିଲେ ହେଁ ବଳଭଦ୍ର ପ୍ରସାଦ ଗ୍ରାମ ଠାରୁ ଦୂରରେ ଖାତା ନଂ- ୫୨୧ ପ୍ଲଟ ନଂ ୩୩୪, ୩୩୫ ଓ ୩୩୬ ଅବସ୍ଥିତ ଗ୍ରାମ୍ୟ ଜଙ୍ଗଲ କିସମ ଜମିରେ ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୂତନ କଲ୍ୟାଣ ମଣ୍ଡପ ଓ କ୍ରୀଡାଙ୍ଗନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଜନବସତି ଠାରୁ ଦୂରରେ ଉକ୍ତ ସ୍ଥାନରେ କଲ୍ୟାଣ ମଣ୍ଡପ ଓ କ୍ରୀଡାଙ୍ଗନ ନିର୍ମାଣ ହେଲେ ଅଞ୍ଚଳବାସୀ ଏହାଦ୍ୱାରା କେତେଦୂର ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମ୍ୟ ଜଙ୍ଗଲ ଜାଗାରୁ ଜେସିବ ମେସିନ ଓ ଟ୍ରାକ୍ଟର ଲଗାଇ ଗଛ ଗୁଡିକୁ ନଷ୍ଟ କରାଯାଇଥିବା ଅଭିଯୋଗ ହେଉଛି । କେତେକ ଖଳ ପ୍ରକୃତିର ଜନସାଧାରଣ ବ୍ଲକ ପ୍ରଶାସନକୁ କରାୟତ କରି ରାଜନୈତିକ ଅଭିସନ୍ଧି ରଖି ଜଙ୍ଗଲ କିସମ ଜାଗାରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟଜାରି ରଖିଥିବା ବେଳେ ସମଗ୍ର ପଞ୍ଚାୟତବାସୀ ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରି ଆସୁଛନ୍ତି । ଏ ସଂର୍ପକରେ ପଞ୍ଚାୟତବାସୀ ରାଜ୍ୟ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନୟାଗଡ ଜିଲ୍ଲାପାଳ, ଖଣ୍ଡପଡ଼ା ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ତେବେ ଜଙ୍ଗଲ କିସମ ଜାଗାରେ ତୁରନ୍ତ କଲ୍ୟାଣ ମଣ୍ଡପ ଓ କ୍ରୀଡାଙ୍ଗନ ନିର୍ମାଣ କାର୍ଯ୍ୟ ବନ୍ଦ କରାନଗଲେ ପଞ୍ଚାୟତବାସୀ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ନୟାଗଡ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।