ଡୁଙ୍ଗୁରିପାଲି/ଏସ.ରାମପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଛାତ୍ରୀମାନେ ଫୁଲତୋଡ଼ା, ଉତ୍ତରୀୟ ଓ ବ୍ୟାଚ ପ୍ରଦାନ ପୂର୍ବକ ସ୍ୱାଗତ ସଂଗୀତ ଗାନ କରି ଅତିଥିଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଭୀମଟିକିରାର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ଯୋଗଦେଇ ବିଦ୍ୟାଳୟର ସମ୍ମାନ ବଢାଇବା ସହ ଆଦର୍ଶ ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନେ ପ୍ରଚେଷ୍ଟାରତ ରହିବାକୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଅନନ୍ତ ନାରାୟଣ ବନଛୋର ଯୋଗଦେଇ ଜୀବନରେ ସଫଳ ହେବା ପାଇଁ କଠୋର ପରିଶ୍ରମ ଓ ଅଧ୍ୟାବସାୟର ମାର୍ଗ ଆପଣେଇବାକୁ ଛାତ୍ରଛାତ୍ରୀ ତତ୍ପର ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ରଣା ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବାର୍ଷିକ ଉତ୍ସବର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ କଳା ଶିକ୍ଷକ ଶଙ୍କର ପ୍ରସାଦ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଇଣ୍ଟର ହାଉସ ପ୍ରତିଯୋଗିତାରେ ଗଙ୍ଗା ହାଉସ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ସମୀକ୍ଷା ରଣା ଶ୍ରେଷ୍ଠ ଶିକ୍ଷାର୍ଥୀ ଓ ପ୍ରବନ୍ଧ ଲିଖନରେ ପ୍ରଥମ ପୁରସ୍କାର, ଅଲିଭା ବରିହା ଶ୍ରେଷ୍ଠ ଉପସ୍ଥାନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ନିବେଦିତା ତାଣ୍ଡିଆ ପ୍ରଥମ ପୁରସ୍କାର ପାଇଥିଲେ । ଶିକ୍ଷୟିତ୍ରୀ ପ୍ରମିତା ପଧାନ, ଅମୂଲ୍ୟ ଝାଙ୍କର, ସଂଯୁକ୍ତା ଭୋଇ ଓ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରମୋଦ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୀତ, ନାଚ, ଅଭିନୟରେ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଅପରେସନ ସିନ୍ଦୁର ନୃତ୍ୟନାଟିକା ଦର୍ଶକଙ୍କ ମନ ମୋହିଥିଲା । ସୁବାସ ଭୋଇ, କିରଟି ନାଏକ ଓ ପାଚିକା ମାନେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ କଳାକାହ୍ନୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।