ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ୍ ହେବା ପରେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ କର କମଳରେ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଓଡ଼ିଶାରେ ୧୧୦ଗୋଟି ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିବାରୁ ମହାପୁରୁଷ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦଘାଟିିତ ହୋଇଥିଲା । ଏହି ଯୋଜନାରେ ସଂଯୋଗ ହୋଇଥିବା ଓଡ଼ିଶାର ୧୧୦ଟି ବିଦ୍ୟାଳୟରେ ଏଲ,ଇ,ଡି ଟିଭି ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ମାନେ ଦେଖି ଓଡ଼ିଶା ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବ ସରକାର ମାନଙ୍କରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗୁରୁତ୍ୱ ଦେବା ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଗୁଡିକ ଅବହେଳିତ ହୋଇ ରହୁଥିଲା । କୋମଳମତି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଆରମ୍ଭରୁ ନଷ୍ଟ ହେବାକୁ ବସୁଥିବା ବେଳେ ବର୍ତ୍ତମାନର ଡବଲ ଇଞ୍ଜିନ୍ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରି ପଦକ୍ଷେପ ନେଇଥିବା କଥା ପ୍ରତ୍ୟେକ ଅଞ୍ଚଳରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି । ଏଥିସହିତ ଏହି ଯୋଜନାରେ ନୟାଗଡ ଜିଲ୍ଲାର ୫ଟି ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯାଇଥିଲା । ସେଥି ମଧ୍ୟରୁ ଖଣ୍ଡପଡ଼ା ବ୍ଲକର ୩ଟି ବିଦ୍ୟାଳୟ ଯଥା ବନମାଳିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋକୁଳାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସିଧାମୂଳା, ଶିଖରପୁର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଥିବାରୁ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଞ୍ଚରୁ କୃତଜ୍ଞତା ଜଣାଇଥିଲେ । ଏଥିସହିତ ବିଦ୍ୟାଳୟରେ ଏକ ସାଧାରଣ ସଭାର ଆଯୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥୀ ଭାବେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର, ମୁଖ୍ୟ ବକ୍ତା ଭାବେ ସହ ଶିକ୍ଷାଧିକରୀ ନାରାୟଣ ଦାଶ, ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ତ୍ରିନାଥ ବେହେରା, ଅଯୋଧ୍ୟା ନାୟକ, ବିକାଶ ଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ବନମାଳିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଖୁଣ୍ଟିଆ ସଭାପତିତ୍ୱ କରିଥିଲେ । ବନମାଳିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାରାଣୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସକ୍ରୀୟ ସହଯୋଗ କରି କାର୍ଯ୍ୟ ସଂପାଦନ କରିଥିଲେ ।