ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ଆରାଧ୍ୟ ମା’ ଉମାଦେବୀଙ୍କ ପୀଠ ପରିସରରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବବର୍ଷ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରୁ ୧୪୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ ଅବସରରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସଂର୍ପକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ବିଭିନ୍ନ ଅଞ୍ଚଳରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାମ୍ବାଦିକମାନେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ସାମ୍ବାଦିକମାନଙ୍କୁ ଏକାଠି କରି ସଙ୍ଗଠନକୁ ସୁଦୃଢ କରିବା ଉପରେ ସଭାପତି ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବିନାୟକ ମିଶ୍ର, ରାମେଶ୍ଵର ଶତପଥୀ, ସରୋଜ କୁମାର ମିଶ୍ର, ପ୍ରଭାକର ଶିରୋମଣି, ଭବାନୀଶଙ୍କର ସିଂହ ସାମନ୍ତ, ଅଜୟ କୁମାର ମହାରଣା, ଶୁଭ୍ରାଂଶୁ ମହାରଣା, ଲୋକନାଥ ମିଶ୍ର, ଆଦର୍ଶ ପଟ୍ଟନାୟକ, ସୁବାସ ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ସୁକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଦିଲ୍ଲୀପ ନନ୍ଦ କିଶୋର ରାଉତରାୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁନିଲ ପଟ୍ଟନାୟକ, ଦୀପକ କରଙ୍କ ସମେତ ବିଭିନ୍ନ ଛାପା, ବୈଦୁତ୍ୟିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।