- ଅଧାରେ ରହିଲା ଭଉଣୀ ବାହାଘର କାର୍ଡ ବଂଟନ
ସାଲେଭଟା, (କେପିଏନ୍ଏସ୍) : ଆଜି ମଧ୍ୟାହ୍ନରେ ଚେରୁପାଲି-ସାଲେଭଟା ଅଙ୍ଗନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ କାକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ଲକ୍ଷ୍ମଣ ବାଗଙ୍କ ପୁଅ ଭଜନ ବାଗ(୩୨) ଓ ଭଜନ ବାଗଙ୍କ ପୁତୁରା ତଥା ପରଦେଶୀ ବାଗଙ୍କ ପୁଅ ପାର୍ଥ ବାଗ(୧୪) ଏକ ବାଇକ ଯାହାର ନମ୍ବର ଓଡି ୦୩-ପି-୪୩୫୫ରେ ଅଙ୍ଗନଦୀ ପୋଲ ଉପରେ ଦେଇ ଲୋଇସିଂହାକୁ ଯାଉଥିଲେ । ପାର୍ଥ ବାଗଙ୍କ ଭଉଣୀର ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଆଜି ସକାଳେ ବାହାରି ବିଭିନ୍ନ ଗ୍ରମାର ନିଜର ସଂପର୍କୀୟ ମାନଙ୍କୁ ଦେଉଥିଲେ । ଡୁଙ୍ଗୁରିପାଲି ବ୍ଲକ ଶୁଖା ଗ୍ରାମରେ କାର୍ଡ ବଂଟନ ପରେ ଲୋଇସିଂହାକୁ ଯାଉଥିଲେ । ୨୬ ନମ୍ବର ଜାତୀୟ ରାଜପଥର ବିପରୀତ ଦିଗରୁ ଏକ ଗାଜର ବୋଝେଇ ମହିନ୍ଦ୍ରା ସୁପ୍ରୋ ଗାଡି ଯାହାର ନଂ.ଓଡି ୦୩-ଡବ୍ଲ୍ୟୁ-୩୯୪୧ ବାଇକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ହୋଇ ପଡ଼ି ଯାଇଥିଲେ । ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭତ୍ର୍ତ୍ତି କରାଯାଇଥିଲା । ପାର୍ଥ ବାଗକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଭଜନକୁ ବରଗଡ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସଂପର୍କୀୟମାନେ ପ୍ରକାଶ କରିଛନ୍ତି । ମୃତ ପାର୍ଥ ବାଗ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ବାପାମାଙ୍କ ଏକମାତ୍ର ପୁତ୍ର । ଗୋଟିଏ ମାତ୍ର ଭଉଣୀର ବାହାଘର ଆସନ୍ତା ଜାନୁୟାରୀ ୨୮ତାରିଖରେ ସରଧାପାଲିରେ ହେବାକୁ ଥିବା ବେଳେ ଉଭୟ କାକା-ପୁତୁରା କାର୍ଡ ବାଂଟୁଥିଲେ । ଗୋଟିଏ ପରିବାରର ଦୁଇଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଂଚିଥିଲେ । ଡାକ୍ତରଖାନା କାନ୍ଦ ବୋବାଳିରେ ଫାଟି ପଡ଼ୁଥୁଲା । ଡୁଙ୍ଗୁରିପାଲି ପୁଲିସ୍ ଖବର ପାଇ ଏକ ଦୁର୍ଘଟଣା ମାମଲା ରଜୁ କରି ତଦନ୍ତ ଜାରି ରଖିଛନ୍ତି । ଡୁଙ୍ଗୁରିପାଲି ଡାକ୍ତରଖାନାରେ ଥିବା ପାର୍ଥଙ୍କ ମୃତଦେହ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଯିବ ବୋଲି ଥାନାଧୁକାରୀ ରୋଜାଲିନ ପଟେଲ ପ୍ରକାଶ କରିଛନ୍ତି ।