ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବନ୍ଦନୀୟ ପ୍ରାତଃସ୍ମରଣୀୟ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ବ୍ରହ୍ମସଂକଳ୍ପ ଅନ୍ତର୍ଗତ ୨୦୧୪ ମସିହାରୁ ସମଗ୍ର ବିଶ୍ୱରେ ୨୫ ଡିସେମ୍ବର ତାରିଖକୁ “ତୁଳସୀ ପୂଜନ ଦିବସ” ଭାବେ ପାଳନ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ, ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ପରିଚାଳିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ତୁଳସୀ ପୂଜନ ଦିବସ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି । ଇନ୍ଦିରାନଗର (ରେଳୱେ କଲୋନୀ), ହନୁମାନ ବାଟିକା ସ୍ଥିତ ସତସଙ୍ଗ ଭବନ, ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା (ବାର୍ତ୍ତୋଲି) ଏବଂ ସେକ୍ଟର–୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ଠାରେ ଏହି ଅବସରରେ ତୁଳସୀ ପୂଜନ ଦିବସ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମନ୍ତ୍ରୋଚ୍ଚାରଣ, ବନ୍ଦନା, ଅର୍ଘ୍ୟାର୍ପଣ, ପରିକ୍ରମା ଓ ଆରତୀ ସହିତ ତୁଳସୀ ମାଆଙ୍କ ପୂଜନ ଶ୍ରଦ୍ଧା ଓ ଭକ୍ତିର ସହିତ ସମ୍ପନ୍ନ ହୋଇଥିଲା । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ତୁଳସୀ ମାଆଙ୍କ ମହାନତାକୁ ଆଧ୍ୟାତ୍ମିକ, ବ୍ୟବହାରିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥି ସହ ୨୫ ଡିସେମ୍ବରକୁ ସମଗ୍ର ବିଶ୍ୱରେ ତୁଳସୀ ପୂଜନ ଦିବସ ଭାବେ ପାଳନ କରିବା ପଛରେ ଥିବା ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା—ସେକ୍ଟର–୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସରେ ଚାଲୁଥିବା ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର । ଏଠାରେ ସମଗ୍ର ଓଡ଼ିଶାର ୪୦ଟି ମଧୁସୂଦନ ଶିକ୍ଷା ନିବାସରୁ ଆସିଥିବା ପାଞ୍ଚଶହରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ତୁଳସୀ ପୂଜନ ଦିବସରେ ସହଭାଗୀ ହୋଇ ଆଧ୍ୟାତ୍ମିକ ଆନନ୍ଦ ଉପଭୋଗ କରିଥିଲେ । ଏହା ସହିତ, ରାଉରକେଲାକୁ ପୁନଃ ନ ଆସିଲେ ମଧ୍ୟ ନିଜ ନିଜ ବିଦ୍ୟାଳୟରେ ପ୍ରତିବର୍ଷ ୨୫ ଡିସେମ୍ବରରେ ତୁଳସୀ ପୂଜନ କିପରି ଆୟୋଜନ କରାଯିବ—ସେଥିପାଇଁ ଶିକ୍ଷକ–ଶିକ୍ଷୟିତ୍ରୀମାନେ ପ୍ରାୟୋଗିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଉଦ୍ଦେଶ୍ୟରେ ୪୦ଟି ତୁଳସୀ ବୃକ୍ଷର ପୂଜନ କରାଯାଇ, ସେଗୁଡ଼ିକୁ ନିଜ ନିଜ ବିଦ୍ୟାଳୟକୁ ନେଇ ଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୁଳସୀ ପୂଜନ ପରମ୍ପରା ପ୍ରଚାର କରିବାକୁ ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳତାରେ ପ୍ରୀତି ବିଶ୍ୱକର୍ମା, ବିଶ୍ୱମ୍ବର ମହାନ୍ତି, ବନାରସୀ ପ୍ରସାଦ, ଜୟ ଶଙ୍କର ଗୌଡ଼, ପର୍ଶୁରାମ ବଡାଇକ, ଶିବ ଶଙ୍କର ମାଝୀ, ଗୋବିନ୍ଦ ମାଝୀ, ସୁନିତା ସାହୁ, ଡାକ୍ତର ସଞ୍ଜୟ ସାହୁ, ମନୋଜ ସାହୁ, ଦିଲୀପ ମହାନନ୍ଦିଆ, ଗୀତା ମହାନନ୍ଦିଆ, ଅଜିତ ଦାସ, ପୂଜା ଖଣ୍ଡେଲୱାଲ, ସୁନିତା ଅଗ୍ରୱାଲ ଓ ସରସ୍ୱତୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।