ୱାର୍ଡ଼ସଭ୍ୟାଙ୍କ ସ୍ଵାମୀଙ୍କୁ ବିଭତ୍ସ ହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୁରସିଂହା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଇନ୍ଦିରାପାଲି ପଡ଼ା ୧୫ ନମ୍ବର ୱାର୍ଡ଼ର ସଭ୍ୟା ତପ ମଲ୍ଲିକଙ୍କ ସ୍ଵାମୀ ଦାସ ମଲ୍ଲିକ (୬୫)ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ସାନଭାଇ ସୁରୁ ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ବୋଲି ମୃତକଙ୍କ ପୁଅ ବିଘ୍ନରାଜ ଅଭିଯୋଗ କରିଛନ୍ତି । ସୋନପୁର ଏସଡିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ଲଛିପୁର ଆଇଆଇସି ଭୋଜରାଜ ସା ଏବଂ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ପହ‌ଞ୍ଚି ତଦନ୍ତ କରି ଫେରି ଯାଇଛନ୍ତି । ସୂଚନାନୁସାରେ ଗତ ଗୁରୁବାର ରାତିରେ ଦାସ ଘରେ ଥିବାବେଳେ ସାନଭାଇ ସୁରୁ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ପରେ କଦଳୀ ପାଲିରେ ଥିବା ପୁଅ ବିଘ୍ନରାଜକୁ ଫୋନ୍ କରି ଶୀଘ୍ର ଘରକୁ ଆସିବା ପାଇଁ ଦାସ ଡାକିଥିଲେ । ଗଣ୍ଡଗୋଳ ନୀତି ଦିନିଆ ହୋଇଥିବାରୁ ବିଘ୍ନରାଜ କଥାକୁ ଗୁରୁତ୍ୱ ନଦେଇ ଶୁକ୍ରବାର ସକାଳେ ବିଘ୍ନରାଜ ଘରକୁ ଫେରିବା ପରେ ବାପାଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ପଡ଼ାର ଜୟରାମ ମଲ୍ଲିକ ଏବଂ ଅନ୍ୟମାନଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ସୁରୁ ଓ ତାଙ୍କ ସ୍ତ୍ରୀ ମିଶି ବାପାଙ୍କୁ ହତ୍ୟା କରିଥିବା ବିଘ୍ନରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲଛିପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଭୋଜରାଜ ସା ସୂଚନା ଦେଇଛନ୍ତି । ଘଟଣା ପରେ ଅଭିଯୁକ୍ତ ସୁରୁ ଏବଂ ତା’ର ପରିବାର ସଦସ୍ୟ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.