ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଦର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ସାମ୍ବତ୍ସରିକ ଉତ୍ସବ “ଆତ୍ମବିସ୍ତାର” ମହାଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରୀମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କଲେଜ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଦେଶର ଭବିଷ୍ୟତ ଯୁବକ ମାନଙ୍କ ଉପରେ ନିର୍ଭର କରେ । ଯୁବ ସମାଜରେ ମାନସିକ ପରିବର୍ତ୍ତନ ହେଲେ ଦେଶର ବିରାଟ ପରିବର୍ତ୍ତନ ହେବ । ତା ହେଲେ ଯାଇ ମଣିଷ ସମାଜର ଆତ୍ମବିସ୍ତାର ହୋଇପାରିବ ବୋଲି କହିଥିଲେ । ଆମେ ଯେବେ ନିଜ ମାଟିର ମହକ ପ୍ରତି ସମାଜ ପ୍ରତି ଆକର୍ଷଣ ହେବା, ଅନ୍ୟକୁ ଆପଣାର କରି ପାରିବା, ଚେତନାକୁ ଚିତ୍ତକୁ ବିସ୍ତାର କରି ପାରିବା ସେତେବେଳେ ଏ ଆତ୍ମ ବିସ୍ତାରଟା ସମ୍ଭବ ହୋଇପାରିବ । ଏବଂ ସକାରାତ୍ମକ ପୃଥିବୀ ଟିଏ ଜୀବନ ଟିଏ ସଂସାର ଟିଏ ପାଇ ପରିବା ବୋଲି ଡ଼. ସାହୁ କହିଥିଲେ । ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର ତାଙ୍କ ବକ୍ତବ୍ୟରେ ମଣିଷ ଜୀବନ ଟା ଏକ ନାଟକ ବୋଲି କହିଥିଲା ବେଳେ ଅନ୍ୟତମ ସମ୍ମାନୀୟା ଅତିଥି ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼. କିରଣବାଳା ଦାସ ପ୍ରାଚୀନ ଶିକ୍ଷା ଉପରେ ସୃଜନ ଶିଳତା ଶିକ୍ଷା ଉପରେ ଗୁରୁତ୍ଵ ଆରୋପ କରିବା ସହିତ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାକୁ ଅନୁସରଣ ପୂର୍ବକ ଶିକ୍ଷାରେ ଭାରତୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ନହେଲେ ଛାତ୍ରଛାତ୍ରୀମାନେ ବୀପଥଗାମି ହେବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଆତ୍ମ ବିଶ୍ୱାସ ଆଗରୁ ଆତ୍ମ ଜ୍ଞାନ ଆସିବା ଉଚିତ ବୋଲି କହି ଭଲ ରାସ୍ତାରେ ଯାଇ ଅସଫଳ ହେବା ଠାରୁ ଖରାପ ରାସ୍ତାରେ ଯାଇ ସଫଳ ହେବା ସ୍ୱଧର୍ମ ନୁହେଁ ବୋଲି କହିଥିଲେ । ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ରଖି ଆଗେଇବାକୁ ଉପଦେଶ ଦେବା ସହିତ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଶ୍ରୀ ମିଶ୍ର କହିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଡ଼. ଜ୍ୟୋତି ରଂଜନ ବହିଦାର ଶିକ୍ଷକମାନେ ହିଁ ଛାତ୍ରମାନଙ୍କର ଆତ୍ମବିଶ୍ୱାସ ବଢେଇବା ସହିତ ସେମାନଙ୍କ ପ୍ରଗତିରେ ସହାୟକ ବୋଲି ମତବ୍ୟକ୍ତ କରାଇବା ସହିତ ଶିକ୍ଷକ ହିସାବରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଭଲ ଶିକ୍ଷକ ହେବାକୁ ହେଲେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂପାଦକ ନିଶାନ୍ତ କୁମାର ମହାନ୍ତି ମଧ୍ୟ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭାକାର୍ଯ୍ୟକୁ କଲେଜର ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ବନାନୀ ପୁଷ୍ପିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକୁ କାର୍ଯ୍ୟକ୍ରମ ସହିତ ଅଶୋକ ବହିଦାରଙ୍କ ରଚିତ ଏବଂ ଡ଼ ଜ୍ୟୋତି ରଂଜନ ବହିଦାରଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ‘ଘୁଙ୍ଗୁର’ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ ହୋଇଥିଲା । ଯାହାକି ମୁଖ୍ୟ ଅତିଥି ଜିଲ୍ଲାପାଳ ଓ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ଛାତ୍ର/ଛାତ୍ରୀ, ଅଭିଭାବକ/ଅଭିଜ୍ଞ ମାନଙ୍କ ସହିତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମିଡ଼ିଆ ପ୍ରତିନିଧି ଯୋଗ ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।