ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ “ସ୍ପନ୍ଦନ “ଅନୁଷ୍ଠାନ ଆୟୋଜିତ ୩୬ ତମ ସର୍ବଭାରତୀୟ ବହୁ ଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ୫ମ ସଂଧ୍ୟାରେ ପଶ୍ଚିମବଂଗର ଗୋବରଡଙ୍ଗା ଶିଳ୍ପାୟନ ଅନୁଷ୍ଠାନ ପରିବେଷଣ କରିଥିଲା ବଂଗଳାଭାଷାର ନାଟକ “ଉତ୍ତମ ପୁରୁଷ” । ନାଟକର ନିର୍ଦ୍ଦେଶକ ଆଶିଷ ଚଟ୍ଟୋପାଧ୍ୟାୟ, ସଂଗୀତ ନିର୍ଦ୍ଦେଶକ ଶଙ୍କର ବୋଷ, ଆଲୋକ ନିର୍ଦ୍ଦେଶକ ରାଜୁ ଭଟ୍ଟାଚାର୍ଯ୍ୟ, ମଂଚ ସଜ୍ଜା ପ୍ରିୟେନ୍ଦୁ ଶେଖର ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ନାଟକଟି ସମାଜର ପୁରୁଷ ଓ ନାରୀର ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିଲା । ସାଧାରଣତଃ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ରହୁଥିବା ଭେଦଭାବକୁ ଦର୍ଶାଯାଇଥିଲା । ସର୍ବଦା ପୁରୁଷମାନେ ନାରୀମାନଙ୍କ ଉପରେ ନିଜର ପ୍ରଭାବ ଜାରି କରିଥାନ୍ତି,ଏପରିକି ସମାଜର ନେତାମାନେ ନିଜର ଅର୍ଥ ଓ ଶକ୍ତି ବଳରେ ସଦା ସର୍ବଦା ନାରୀମାନଙ୍କ ଉପରେ ଯାହା ଇଛା ତାହା ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ନାଟକରେ ପୁରୁଷର ପ୍ରତିନିଧିତ୍ୱ କରିଥିଲେ ଗୁଲାବ ସିଂ ଆଉ ନାରୀର ଭୂମିକାରେ ଅମ୍ବିକା । ଏପରିକି ସମାଜର ନେତୃତ୍ୱ ନେଉଥିବା ପୁରୁଷ ନିଜର ଶକ୍ତି, ଅର୍ଥ ଆଉ କ୍ଷମତା ବଳରେ ନାରୀକୁ ରେପ୍ କରିଛି । ସେହି ପୁରୁଷ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ମଧ୍ୟ କଚେରୀରୁ ଉଚିତ ନ୍ୟାୟ ନ ପାଇ ନିରାଶ ହୋଇଛି । ଗୁଲାବ ସିଂ ରେପ୍ କରି ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇନାହିଁ । ଶେଷରେ ଅମ୍ବିକା ନିଜ ଭଉଣୀ ସଂଗରେ ଯାଇ ଗୁଲାବ ସିଂ ସହ ଗୋପନ କ୍ୟାମେରା ମାଧ୍ୟମରେ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଲାବ ସିଂ ଜାଣିପାରି ସେମାନଙ୍କ ଉପରେ ଆକ୍ରମଣ କରିଛି । ଫଳରେ ଉପାୟ ଶୂନ୍ୟ ହୋଇ ବନ୍ଧୁକ ଦ୍ୱାରା ଅମ୍ବିକାର ମା’ ଗୁଲାବକୁ ଗୁଳିକରି ମାରିଦେଇଛନ୍ତି । ସମାଜରେ ନାରୀକୁ ଯିଏ ଅସମ୍ମାନ ପ୍ରଦର୍ଶନ କରି ତା’ର ବଂଚିବାର ଅଧିକାର ନାହିଁ, ତାକୁ ଜୀବନରୁ ମାରିଦେବା କଥା, ଯାହା ନାଟକରେ ଦର୍ଶାଯାଇଥିଲା । ନାଟକଟି ଦର୍ଶକ ମାନଙ୍କୁ ବିଭୋର କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶିଶିର ମୁଦାଲି, ରମେଶ ଗୌଡ, କ୍ଷୀରୋଦ ବାଡତ୍ୟା, କ୍ରିଷ୍ଣା ସିଂ, ଅମୂଲ୍ୟ ବେହେରା, ସୁଦିଶ ମିଶ୍ର ପ୍ରମୁଖ । ସଂଯୋଜନା କରିଥିଲେ ଝିଲିମା ମହାନ୍ତି ।