ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷଜୀ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ୮୦ ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏସଡ଼ିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ତହସିଲଦାର ଜ୍ୟୋସ୍ନା ମାଝୀ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଲୋକେ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗକୁ ଦୃଷ୍ଟି ଆକର୍ଷଣ କରିଥିଲେ । ମୁରିବାହାଲ ବ୍ଳକର ତିଖାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ୯ ଟି ଗ୍ରାମ ମଧ୍ୟରୁ ୪ ଟି ଗ୍ରାମକୁ ରାଜସ୍ୱ ମାନ୍ୟତା ମିଳିଥିବାବେଳେ ଅନ୍ୟ ୫ ଟି ଜଙ୍ଗଲ ଗ୍ରାମ୍ୟ ଶୁକନୀ ପଦର, ବେହେରଖାଇ, ଲତାସହଡା, ରାଣୀସିଲେଟ, କୁଟନୀଝରନ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇନାହିଁ । ଏହି ୫ ଖଣ୍ଡ ଗ୍ରାମର ଲୋକେ ଜିଲ୍ଲାପାଳଙ୍କୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି ଜଣାଇଥିଲେ । ବଙ୍ଗୋମୁଣ୍ଡା ବ୍ଲକର ବିରିପାଲି ପଞ୍ଚାୟତରେ ଏକ ହୋମିଓ ପ୍ୟାଥିକ ଡାକ୍ତରଖାନା ଖୋଲିବା ପାଇଁ ୨୦୨୪ ମସିହାରେ ତହସିଲଦାରଙ୍କୁ ୧ ଏକର ଜମି ଯୋଗାଇଦେବା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଜଣାଇଥିଲେ ସୁଦ୍ଧା ତହସିଲଦାରଙ୍କ ପକ୍ଷରୁ ମାତ୍ର ୨୦ ଡିସମିଲ ଜମି ଯୋଗାଇ ଦିଆଯାଇଛି । ହୋମିଓ ପ୍ୟାଥିକ ଡାକ୍ତରଖାନା ପାଇଁ ୧ ଏକର ଜମି ଯୋଗାଇଦେବା ପାଇଁ ବିରିପାଲି ପଞ୍ଚାୟତର ବେନ୍ଦ୍ରା ଭୋଇ, ରୂପା ବେହେରା ପ୍ରମୁଖ ଜିଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ୱାରସ୍ଥ ହୋଇଥିଲେ । କପିଲାଭଟା ପଞ୍ଚାୟତର ଅସୁର୍ଲା ଗ୍ରାମର ଜବକାର୍ଡ଼ଧାରୀ ଶ୍ରମିକ ମାନେ ମନରେଗା ଯୋଜନାରେ କାମ କରି ପାଉଣା ପାଇନଥିବା ନେଇ ଅଭିଯୋଗ କରିଥିଲେ । ବଙ୍ଗୋମୁଣ୍ଡା ତହସିଲରେ କାର୍ଯ୍ୟରତ କ୍ଲାରିକାଲ ବିଭାଗରେ ୭ ବର୍ଷ, ୫ବର୍ଷ, ୩ ବର୍ଷ କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିଥିବା କର୍ମଚାରୀ ମାନଙ୍କୁ ବଦଳି କରିବା ପାଇଁ ଓକିଲ ସଂଘ ବଙ୍ଗୋମୁଣ୍ଡାର କର୍ମକର୍ତ୍ତା ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।
Prev Post