ବଣାଇ, (କେପିଏନ୍ଏସ୍) : ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କ ସର୍ବାଙ୍ଗୀନ ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ମାଳ ମାଳ ଯୋଜନା ଅଛି କିନ୍ତୁ ଏହି ଯୋଜନା ଗୁଡିକ କିଛି ମାତ୍ରାରେ କାର୍ଯ୍ୟକାରୀ ହେଉଥିବା ବେଳେ ତାର ଲାଭ ପାଇ ପାରୁ ନାହାଁନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକ ମାନେ । ସରକାରୀ ଯୋଜନାର ଛାପ ଅଛି ସତ ହେଲେ ବାସ୍ତବ ଚିତ୍ର ଭିନ୍ନ । ବଣାଇ ବ୍ଲକ ସଦର ମହକୁମାରୁ ୨୨ କିଲୋମିଟର ଭିତରକୁ ଗଲେ ପଡେ କଷଡା ଗ୍ରାମ ପଞ୍ଚାୟତ । ୧୭ଟି ୱାର୍ଡକୁ ନେଇ ଗଠିତ ଏହି ପଂଚାୟତ । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅମୃତ ସରୋବର ଯୋଜନାରେ ପୋଖରୀର ଉନ୍ନତିକରଣ କରିବା, ଏହି କଷଡା ଗ୍ରାମର ୪ଟି ପୋଖରୀ ଯଥା ତ୍ରଶୁଳିକଟା, ଘନଶ୍ୟାମପୁର, ହାଇସ୍କୁଲ ପାଖ, କଷଡା ବନ୍ଧ, ପଂଚାୟତ ଅଫିସ ପାଖ, ତିଲେଇମାଲ ପୋଖରୀର ଉନ୍ନତି କରଣ ପାଇଁ ପ୍ରକଳ୍ପ ପାଖାପାଖି ରାଶି ୪୦ ଲକ୍ଷ ଥିବାବେଳେ କାମ ନ ହୋଇ ଅର୍ଥ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ତେଣ୍ଡରା ଗ୍ରାମର ଡିମ୍ବରିମୁଣ୍ଡା ରାସ୍ତା ଓ ଭୋଗରା ବାହାଲ ରାସ୍ତା କାମର ଅଟକଳ ରାଶି ୨୦ ଲକ୍ଷ ରହିଛି ବୋଲି ସୂଚନା ମିଳିଛି । ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି କାମ ହୋଇଛି । ତେବେ ଏହି କାମରେ ନିୟୋଜିତ ଶ୍ରମିକ ମାନଙ୍କ ଜବକାର୍ଡ ଜାଲିଆତି କରି ପଂଚାୟତର ଅଧିକାରୀ ଓ କର୍ମଚାରୀ ମାଲେମାଲ ହେଉଥିବା ବେଳେ ସରକାରୀ ଯୋଜନାରେ କାମ କରିଥିବା ଗ୍ରାମବାସୀ ଏହାର ମଜୁରୀ ପାଇ ପାରି ନ ଥିବା ଅଭିଯୋଗ ଆଣିଛନ୍ତି । ଗାଁ ସାଥୀ କୈଳାସ କିଷାନ ଓ ମହାଦବେ ଓରାମ ସମ୍ବଳ ଥିବା ବ୍ୟକ୍ତିଙ୍କ ନାମରରେ ଥିବା ଜବକାର୍ଡ ଓ ମାଷ୍ଟର ରୋଲ ତିଆରି କରି ଅର୍ଥ ବାଟମାରଣା କରିଥିବା ଗ୍ରାମବାସୀ ଏବଂ ୯ ଜଣ ୱାର୍ଡମେମ୍ବର ଅଭିଯୋଗ କରିଛନ୍ତି । ତେଣ୍ଡରା ଗ୍ରାମର ପ୍ରାୟ ସତୁରୀରୁ ଅଧିକ ଗ୍ରାମବାସୀ ନିଜର ପାରିଶ୍ରମିକ ନ ପାଇ ଦୀର୍ଘଦିନ ହେବ ହନ୍ତସନ୍ତ ହେଉଛନ୍ତି । ଏ ସମ୍ବନ୍ଧରେ ଗ୍ରାମବାସୀମାନେ ବିଡିଓ, ସରପଂଚ ଓ ଉପ ଜିଲ୍ଲାପାଳଙ୍କ ପାଖରେ ବହୁବାର ଲିଖିତ ଅଭିଯୋଗ କଲେ ମଧ୍ୟ ସେମାନେ ଉଚିତ ନ୍ୟାୟ ପାଇ ପାରୁନାହାଁନ୍ତି । ଏହାର ଉଚିତ ସମାଧାନ ନହେଲେ ଅଧିକାଂଶ ୱାର୍ଡମେମ୍ବର ଇସ୍ତାଫା ଦେବେ ବୋଲି କହିଛନ୍ତି ।
Prev Post