ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବରିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ମଦନ ମୋହନ ମିଶ୍ରଙ୍କୁ ବୁଧବାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି । ଜୀବନ ବ୍ୟାପୀ ନାଟ୍ୟ ସାଧନା ପାଇଁ ତାଙ୍କୁ ଉପାୟନ-୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଗତ ବୁଧବାର ଓଡିଶା ଲୋକସେବା ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ସଙ୍ଗୀତ ନାଟ୍ୟ ଏକାଡେମୀ ସଭାପତି ଅରୁଣ ମହାନ୍ତି, ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓଡ଼ିଆ ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ବିଧାୟକ ବାବୁ ସିଂ, କୋରେଇ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉପାୟନ-୨୦୨୫ ସମ୍ମାନ ଫଳକ ପ୍ରଦାନ ସହ ମଦନ ମିଶ୍ରଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ନିଜର ଦୀର୍ଘ ବର୍ଷର ନାଟ୍ୟ ସାଧନା ପରେ ଏଭଳି ସମ୍ମାନ ପାଇବା ଖୁସିର କଥା ବୋଲି ଶ୍ରୀ ମିଶ୍ର କହିଛନ୍ତି । ନାଟ୍ୟ- ପ୍ରଦୀପ ମଦନ ମିଶ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମିଳିବା ପରେ ତାଙ୍କୁ ସର୍ବଭାରତୀୟ ନାଟ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀ, ଓଡିଶା ନାଟ୍ୟସଙ୍ଘର ଦକ୍ଷିଣାଞ୍ଚଳ ଉପ-ସଭାପତି ଭବାନୀ ଶଙ୍କର ମିଶ୍ର, ବ୍ରହ୍ମପୁର କଳାକାର ଏକତା ମଞ୍ଚର ସଭାପତି ଅନୀଲ ପାତ୍ର, ନାଟ୍ୟକାର ରମେଶ ମହାରଣା, ଦୁର୍ଗାପ୍ରସାଦ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସମସ୍ତ କର୍ମକର୍ତ୍ତା, ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।