ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହ କ୍ରମେ ଏହି ଯୋଜନା “ସାଂସଦ ଖେଳ ମହୋତ୍ସବ” ପ୍ରାରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୂପାନ୍ତର କରିବା ପାଇଁ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଉରକେଲା ସାଂଗଠନିକ ଜିଲ୍ଲାର ପ୍ରସ୍ତୁତି ବୈଠକ ରାଉରକେଲାର ହୋଟେଲ ବୃନ୍ଦାବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସଦୀୟ କ୍ଷେତ୍ର ଖେଳ ମହୋତ୍ସବର ସଂଯୋଜକ ଅଭୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଭିଡିଓ କନଫରେନସିଂ ମାଧ୍ୟମରେ ବୈଠକକୁ ଉଦବୋଧନ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ସମସ୍ତେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଞ୍ଜିକରଣକୁ ଆହୁରି ତୀବ୍ରତର କରିବା ସହିତ ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭା ଖେଳାଳି କିପରି ଗ୍ରାମ, ବ୍ଲକ, ବିଧାନସଭା କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ସାଂସଦ ଖେଳ ମହୋତ୍ସବରେ ଅଂଶ ଗ୍ରହଣ କରିବେ ଏବଂ ଏହି ଖେଳ ମାଧ୍ୟମରେ ତୃଣମୂଳ ସ୍ତରରେ ଲୁକ୍କାୟିତ ପ୍ରତିଭା ଚୟନ ଓ ଯୁବ ନେତୃତ୍ୱକୁ ମୁଖ୍ୟ ସ୍ରୋତରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଏହି ଖେଳ ମହୋତ୍ସବ ରାଷ୍ଟ୍ର ପ୍ରେମ ଜାଗୃତି କରିବା ସହିତ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାସ ବିହାରୀ ପ୍ରଧାନ, ମନୋଜ କୁମାର ପ୍ରଧାନ ଓ ରମେଶ ଅଗ୍ରୱାଲ , ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା, ଜିଲ୍ଲା ଉପସଭାପତି ପ୍ରମିଳା ସୋନା ଓ ମଳୟ ମହାପାତ୍ର, ବରିଷ୍ଠ ନେତା ଅଶୋକ ଲେଙ୍କା, ରାଜ୍ୟ କାଉନସିଲ ସଭ୍ୟ ଦିଲ୍ଲୀପ ପଟ୍ଟନାୟକ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମାହେଶ୍ୱରୀ, ଏହି ମହୋତ୍ସବର ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ସଂଯୋଜକ ମନୋରଞ୍ଜନ ମୁନି ଓ ସୁଶାନ୍ତ ମହାପାତ୍ର, ବୀରମିତ୍ରପୁର ସଂଯୋଜକ ବଲ୍ଲୁ ତିୱାରୀ ଓ ରାଇସନ୍ ତିର୍କୀ, ବଣାଇ ସଂଯୋଜକ ଚୈତନ୍ୟ ଦୀପ ନାୟକ ପ୍ରମୁଖ ନେତୃବୃନ୍ଦ ତାଙ୍କ ବକ୍ତବ୍ୟରେ ପଞ୍ଚାୟତ, ବ୍ଲକ, ବିଧାନସଭା କ୍ଷେତ୍ରରୁ ବିଭିନ୍ନ ଖେଳ ପ୍ରତିଯୋଗିତାର ଅଂଶ ଗ୍ରହଣ କରିବା ପାଇଁ ଖେଳାଳୀଙ୍କୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ଅନଲାଇନରେ ପଞ୍ଜିକରଣ କରିବା ସହିତ ବହୁ ପ୍ରତିଭାମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ରାଉରକେଲା ସଂଯୋଜକ ପ୍ରକାଶ ପାଶୱାନ । କାର୍ଯ୍ୟକ୍ରମରେ ସଂସଦୀୟ କ୍ଷେତ୍ର ସଂଯୋଜକ ଅଭୟ କୁମାର ପଟ୍ଟନାୟକ ପ୍ରକାଶ କରିଥିଲେ ଯେ, ଏହି ଖେଳ, ପଞ୍ଚାୟତ, ବ୍ଲକ ଓ ବିଧାନସଭା କ୍ଷେତ୍ରରେ ଡିସେମ୍ବର ୨ ତାରିଖରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ସୁନ୍ଦରଗଡ ଠାରେ ଡିସେମ୍ବର ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏହି ଖେଳରେ ୧୫ଟି ମଧ୍ୟରେ ଆଥେଲେଟିକ୍, ବ୍ୟାଡମିଣ୍ଟନ, ଫୁଟବଲ, ବକ୍ସିଂ, କବାଡି, ଖୋଖୋ, ଭଲିବଲ, ହକି, ହେଣ୍ଡ ବଲ, ଆର୍ଚେରୀ, ସାଇକ୍ଲିଙ୍ଗ, ରଙ୍ଗୋଲି, ପୁଚି, ଦଉଡ଼ି ଡିଆ, ଯୋଗ ଆଦି ଖେଳ ରହିଛି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ବଣାଇରୁ ଡିସେମ୍ବର ୫ ତାରିଖରୁ ବାହାରି ରାଉରକେଲା ଦେଇ ୧୩ ତାରିଖରେ ସୁନ୍ଦରଗଡରେ ପହଞ୍ଚିବ ବୋଲି ସୂଚନା ଦେଇଥିଲେ । ଏହା ଆମ ସୁନ୍ଦରଗଡ କ୍ଷେତ୍ର ପାଇଁ ଗର୍ବ ଓ ଗୌରବର ସମୟ । ଏଣୁ ଆମେ ସମସ୍ତେ ଏହାକୁ ସଫଳ କରିବା ପାଇଁ ପୁରା ଦମରେ କାର୍ଯ୍ୟ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଅପେକ୍ଷିତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.