ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଚାରପାଣି ଗାଁରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଆତଙ୍କିତ । ଗତରାତିରେ ଆସିଥିବା ହାତୀପଲ ଅନେକ ଚାଷୀଙ୍କ ଧାନକ୍ଷେତକୁ ପଶି ଦଳି ମାଡ଼ ନଷ୍ଟ କରି ଦେଇଥିବା ଜଣାପଡ଼ିଛି । ଚାଷୀ ରମାଞ୍ଚ ସାଗ୍ରିଆ, ଦେବାର୍ଚ୍ଚନ ସଗ୍ରିଆ, ପରମାନନ୍ଦ ଭୋଇ, ଭୋଳ ବଛା ଓ ଅନ୍ୟ କୃଷକମାନେ ହାତୀ ଉପଦ୍ରବରେ ଅଧିକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି । ଚାଷୀମାନେ କହିଛନ୍ତି ଯେ, ହାତୀମାନେ ଧାନଗଛକୁ ଖାଇ ଓ ମାଡ଼ିଦେଇ ବିପୁଳ କ୍ଷତି କରିଛନ୍ତି । ଜୀବିକାର ମୂଳ ଆଧାର ଥିବା ଧାନକ୍ଷେତ ନଷ୍ଟ ହେବାରୁ ସେମାନେ ଅତ୍ୟନ୍ତ ଚିନ୍ତିତ । ଗ୍ରାମବାସୀମାନେ ବନ ବିଭାଗଙ୍କୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ବିଗତ କିଛି ସପ୍ତାହ ଧରି ହାତୀ ଉପଦ୍ରବ ବଢ଼ିଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି । ଚାଷୀମାନେ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଯଦି ହାତୀମାନଙ୍କ ଗତିବିଧିରେ ରୋକ ଲଗାନଯାଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ।