- ଡାକ୍ତରଙ୍କ ଦାବି ଯୁକ୍ତିଯୁକ୍ତ, ସରକାର କରନ୍ତୁ ପୂରଣ – ନରସିଂହ
- ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ଦାବି କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ଆୟୁଷ ଡାକ୍ତର ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସେବା ଓ ସେଥି ପାଇଁ ଦରକାର ହେଉଥିବା ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସରକାର କ୍ରମାଗତ ଅବହେଳା ଜାରି ରଖିଛି । ଏମିତି ବି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ରାଜ୍ୟ ବହୁତ ପଛୁଆ । ଯଦି ଆୟୁଷ ଡାକ୍ତରଙ୍କ ପ୍ରତି ଏପରି ଅବହେଳା ଜାରି ରହେ ତେବେ ସ୍ୱାସ୍ଥ୍ୟସେବା ଅବସ୍ଥା ଖରାପ ଆଡକୁ ଗତି କରିବ । ସରକାର ଏଥିପ୍ରତି ସମ୍ବେଦନଶୀଳ ହୁଅନ୍ତୁ । ଡାକ୍ତରଙ୍କ ଦାବି ଯୁକ୍ତିଯୁକ୍ତ ଅଟେ । ସେ ସବୁକୁ ଶୀଘ୍ର ପୁରଣ କରନ୍ତୁ ବୋଲି ଆଜି ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖରେ ସରକାରୀ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳରେ ପହଂଚି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ ଡାକ୍ତରଙ୍କ ସମସ୍ତ ଦାବିକୁ ସେ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ସରକାର ଏ ସବୁକୁ ଅଣଦେଖା କରନ୍ତୁ ନାହିଁ । ଏମାନେ ବହୁଦିନରୁ ଦାବି କରୁଛନ୍ତି । ଗତ ସରକାରର ବିଧାନସଭା ଚାଲିଥିବା ବେଳେ ମଧ୍ୟ ଏମାନେ ଏହି ଦାବି ଗୁଡିକୁ ନେଇ ଭୁବନେଶ୍ୱରରେ ଆନ୍ଦୋଳନରତ ଥିଲେ । ତତ୍କାଳୀକ ଶାସନ ସଚିବ ଆନ୍ଦୋଳନ ସ୍ଥଳୀକୁ ଯାଇ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏପରି କି ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ସେ ସମୟର ଲୋଇସିଂହା ବିଧାୟକ ବିଧାନସଭା ଭିତରେ ଏମାନଙ୍କ ସମସ୍ତ ଦାବିକୁ ଯୁକ୍ତିଯୁକ୍ତ କହିବା ସହ ସେ ସବୁ ପୁରଣ ପାଇଁ ତତ୍କାଳୀନ ସରକାରଙ୍କୁ ଅନୁରୋଧ କରିଥିଲେ । ଯେହେତୁ ସରକାର ଗୋଟିଏ ନିରନ୍ତର ପ୍ରକ୍ରିୟା ତେଣୁ ଡାକ୍ତରଙ୍କ ସମସ୍ତ ଦାବି ପୂରଣ କରି ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ନିହାତି ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି । ଡାକ୍ତରଙ୍କ ଦାବି ଯଥା ଓପିଏସ୍ସି ଜରିଆରେ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି, ଆୟୁଷ ଚିକିତ୍ସା କ୍ଷେତ୍ରରେ ଉଚ୍ଚ ଶିକ୍ଷାର ସୁଯୋଗ ସୃଷ୍ଟି କରାଯିବା, ହାଇ ସର୍ଜନମାନଙ୍କର ବୃତ୍ତି ଡାଇନାମନିକ ପଦ୍ଧତିରେ ବୃଦ୍ଧି କରାଯିବା, ଆୟୁଷ କଲେଜର ପରିଚାଳନା କମିଟି ପୁନଃ ଗଠନ, ଆୟୁଷ ମନ୍ତ୍ରଣାଳୟର ନିୟମାବଳିକୁ ଓଡିଶା ସରକାର ପାଳନ କରିବା, ରାଜ୍ୟ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାରେ ଆୟୁଷ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଏବଂ ଏହାର ପ୍ରଚାର ପ୍ରସାର କରିବା, ସ୍ୱତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରିବା । ଯେହେତୁ ଆୟୁର୍ବେଦ ଚିକିତ୍ସା ବର୍ତ୍ତମାନ ସାରା ଦେଶ, ରାଜ୍ୟ ତଥା ଗ୍ରାମାଂଚଳମାନଙ୍କରେ ବେଶ ଆଦୃତ ହେବା ଦେଖାଯାଉଛି । ଅନେକ ଛାତ୍ରଛାତ୍ରୀ ଆୟୁର୍ବେଦ ଚିକିତ୍ସା ଉପରେ ପାଠ ପଢିବା ତଥା ଗବେଷଣା କରିବା ପାଇଁ ଉତ୍ସାହ ଦେଖାଉଛନ୍ତି । ତେଣୁ ରାଜ୍ୟ ସରକାର ଏକ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ସ୍ଥାପନ କରନ୍ତୁ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ଦାବି କରିଛନ୍ତି ।