ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ବିଶିଷ୍ଠ ଶିକ୍ଷାବିତ, ସେଣ୍ଟ ଜାଭିୟାର୍ସ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ଆମ୍ଭପୁଆ ଓ ମୀନାକ୍ଷୀ ନଗରର ପ୍ରତିଷ୍ଠାତା ତଥା ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ପୂର୍ବତନ ସଭାପତି ଡ଼ଃ. ଗୌରୀଶଙ୍କର ପଣ୍ଡାଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । କର୍କଟ ରୋଗରେ ପୀଡିତ ହୋଇ ଶୁକ୍ରବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ରହ୍ମପୁର ସୋମ୍ ହସ୍ପିଟାଲରେ ତାହାଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି । ଏନେଇ ବ୍ରହ୍ମପୁର ରୋଟାରୀ କ୍ଲବ୍ (ଇଷ୍ଟ) ପରିସରରେ ଏକ ସ୍ମୃତି ଚାରଣ ସଭା ସଭାପତି ଡ଼ଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଜଣେ ସମାଜସେବୀ ରୂପେ ପରିଚିତ ହୋଇଆସିଛନ୍ତି । ସେ ତୃଣମୂଳସ୍ତରରେ ଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ତାଙ୍କର ଅନୁଷ୍ଠାନରେ ମାଗଣା ଶିକ୍ଷା ଦାନର ବ୍ୟବସ୍ଥା କରି ଆସିଥିଲେ । ସେ ଜଣେ ଆଗ ଧାଡ଼ିର ରୋଟାରୀଆନ୍ ଭାବେ ରୋଟାରୀ କ୍ଲବ ମାଧ୍ୟମରେ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଭବିଷ୍ୟତ ପିଢ଼ିଙ୍କୁ ରୋଟାରୀରେ ସାମିଲ କରିବା ପାଇଁ ନିଜ ଅନୁଷ୍ଠାନମାନଙ୍କରେ ଇଣ୍ଟେରକେଟ କ୍ଲବ ଗଠନ କରୁଥିଲେ । ଜଣେ ପ୍ରକୃତିପ୍ରେମୀ ରୂପେ ଆମ୍ଭପୁଆ ଅନୁଷ୍ଠାନରେ ଏକକାଳୀନ ୩ଶହ ଚାରାରୋପଣ କରି ରୋଟାରୀ କ୍ଲବକୁ ସର୍ବସାଧାରଣରେ ଆଦୃତ କରିଥିବା ବିଷୟ ତତ୍କାଳୀନ ସଭାପତି କାମରାଜୁ ମହାରଣା ସ୍ମୃତି ଚାରଣ କରିଛନ୍ତି । ଶୋକ ସଭାରେ ପ୍ରାକ୍ତନ ସଭାପତି ପି. ସତ୍ୟ ନାରାୟଣ, ଗଦାଧର ରାଉଳ, ଅସୀତ ଦତ୍ତ, ଅଜିତ କୁମାର ପୃଷ୍ଟି, ଡବ୍ଲ୍ୟୁ. ଧନ୍ଵନ୍ତରୀ, ସୁଧାଂଶୁ ଖଡ୍ଗରାୟ, ଆଇ. ରାଜେଶ୍ୱର ରାଓ,ସୁମିତ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ସ୍ମୃତିଚାରଣ କରି ବିଦାୟୀ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।