ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ବହୁଦିନର ଦାବୀ ପୂରଣ ହେଲା । ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି ବୁଧବାର ଠାରୁ ଆରମ୍ଭ ହୋଇଛି । ଫଳରେ ଲୋଇସିଂହା ସମେତ ପଡୋଶୀ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜନସାଧାରଣ ଉପକୃତ ହୋଇପାରିବେ । ଏହି ଅବସରରେ ଲୋଇସିଂହା ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଲୋଇସିଂହା ରେଳ ଷ୍ଟେସନରୁ ହାୱାଡା-ଜଗଦଲପୁର ସମଲେଶ୍ୱରୀ ଟ୍ରେନ ରହଣିର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ ରହଣି ଫଳରେ ଲୋଇସିଂହା ସିଧାସଳଖ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଯୋଡି ହୋଇପାରିବ । ଏଥିସହିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆହୁରି ବିକାଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ବ୍ଲକ ଅଧକ୍ଷ ଯତୀନ୍ଦ୍ର ପଟେଲ, ନାଗରିକ କମିଟିର ଗଜାନନ ଅଗ୍ରୱାଲ, ବିଭୂତି ଭୂଷଣ ସାହାଣୀ, ପ୍ରଶାନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ତଥା ଦଳଗତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ବ୍ୟକ୍ତିଗତ ଉଦ୍ୟମ ତଥା ପ୍ରଚେଷ୍ଟା କ୍ରମେ ଉକ୍ତ ଟ୍ରେନର ଷ୍ଟପେଜ ଲୋଇସିଂହା ଠାରେ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଟ୍ରେନର ରହଣୀ ସକାଶେ ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ କୃତଜ୍ଞତା ଜଣାଇଛନ୍ତି ।