ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜନ ସମସ୍ୟା ଶୁଣାଣି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧୀନସ୍ଥ କରୁଆଁଝର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ସ୍ୱୟଂ ଶୁଣିଥିଲେ ଏବଂ ଯଥୋଚିତ୍ ସମାଧାନ ପାଇଁ ଅଧିକାରୀମାନଙ୍କୁ ଦିଶାନିର୍ଦ୍ଦେଶ ଦେଇଥିଲେ । ଶିବିର ସମୟରେ ମୋଟ ୨୨ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ରାସନ କାର୍ଡରେ ନାମ ସଂଯୋଗ, ମନରେଗା, ପ୍ରଧାନମନ୍ତ୍ରୀ ଆବାସ, ଅଙ୍ଗନୱାଡି କେନ୍ଦ୍ରରେ ପାଣି ସମସ୍ୟା ଓ ଭତ୍ତା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଗୁଡ଼ିକ ମୁଖ୍ୟ ଥିଲା । ବିଡିଓ ଶ୍ରୀ ଷଡ଼ଙ୍ଗୀ ସମସ୍ତ ଅଭିଯୋଗ ଧୀର ଓ ସହାନୁଭୂତି ସହ ଶୁଣିଥିଲେ ଏବଂ ତତ୍କାଳ ନିରାକରଣ ପାଇଁ ସମ୍ବନ୍ଧିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ । ଅଞ୍ଚଳର ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ବହୁ ମାତ୍ରାରେ କରାଇଥିଲେ । ଉକ୍ତ ଶିବିରରେ ବିଏସ୍‌ଏସ୍‌ଓ କନିଷ୍କ ବିଭାର, ଯୋଗାଣ ଅଧିକାରୀ ବିକାଶ ବାର୍ଲା, ଜିପିଡିଓ ପରମେଶ୍ୱର ନାଏକ ସହ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ୍ୟ ଅଞ୍ଚଳର ଲୋକମାନେ ସିଧାସଳଖ ଭାବେ ପ୍ରଶାସନ ସହ ନିଜ ସମସ୍ୟା ଆଲୋଚନା କରିପାରିଥିବାରୁ ଲୋକମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.