ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ନିକଟବର୍ତ୍ତୀ ହେବା ସହିତ ରାଜ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ନୂଆପଡ଼ା ଜିଲ୍ଲାକ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଓ ଉଚ୍ଚ ଅଧିକାରୀମାନଙ୍କ ସହ ବିଶେଷ ସମୀକ୍ଷା ବୈଠକ କରି ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଯାଞ୍ଚ ବଢ଼ାଇବା ଓ ଅତିରିକ୍ତ ସେନା ନିଯୁକ୍ତି ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଡିଜିପି ଖୁରାନିଆ କହିଛନ୍ତି, “ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ କରିବା ଆମ ପ୍ରାଥମିକତା । ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ସୁରକ୍ଷା ବଳୟରେ ରଖିବା ପାଇଁ ସମସ୍ତ ଏଜେନ୍ସି ସମନ୍ୱୟରେ କାର୍ଯ୍ୟ କରୁଛି ।” ନୂଆପଡ଼ା ଓ ସିନାପାଲି ଅଞ୍ଚଳରେ ସେ ମାଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ପୋଲିସ ଶିବିର ଓ ଚେକପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା ଅବଲୋକନ କରିଥିଲେ ।