ନୂଆପଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଉପରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ – ପ୍ରମୋଦ ମିଶ୍ର
ବଲାଙ୍ଗିର, (କେପିଏନ୍ଏସ୍) : ନୂଆପଡା ଉପ ନିର୍ବାଚନ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନୂଆପଡା ଏବେ ରାଜ୍ୟର ରାଜନୈତିକ ରାଜଧାନୀ ଭଳି ପ୍ରତୀୟମାନ ହେଉଛି । ଗୋଟିଏ ପଟରେ ଆଦିବାସୀ ଭୋଟ ଓ ଅନ୍ୟ ପଟରେ ବିଗତ ବିଧାନସଭା ନିର୍ବାଚନର ରାଜନୈତିକ ପରିସଂଖ୍ୟାନକୁ ନେଇ କଂଗ୍ରେସ ଦଳ ବାହାସ୍ପୋଟ ମାରୁଥିବା ବେଳେ ଦିବଙ୍ଗତ ବିଧାୟକଙ୍କ ପାଳିତ ପୁତ୍ରଙ୍କୁ ପ୍ରାର୍ଥୀ କରି ଓ ଶାସନ କାଳ, ଶାସନ ତନ୍ତ୍ର ଓ ପେକେଜ ଘୋଷଣାକୁ ଭିତ୍ତିକରି ବିଜେପି ଦଳ ଜିତିବାର ଦମ୍ଭ ଦେଖାଉଛି । ବିଳମ୍ବରେ ହେଉ ବରଂ ଅତାବିରାର ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ବାଗ୍ମୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀପତ୍ର ଦାଖଲ କଲା ପରେ ବିଜେଡିର ସାଂଗଠନିକ ଭିତ୍ତିକୁ ପୁନର୍ଗଠନ କରି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଞ୍ଚିଥିବା ବ୍ୟକ୍ତିତ୍ୱକୁ ଭିତ୍ତିକରି ବିଜେଡି ମଧ୍ୟ ଜିତିବାର ହୁଙ୍କାର ଦେଇଛି । ପ୍ରାର୍ଥୀ ହିସାବରେ ବିଜେପି ପ୍ରାର୍ଥୀ ନବାଗତ ଓ ସଂପୂର୍ଣ୍ଣ ରୂପେ ତାଙ୍କର ବିଜେପିକରଣ ହୋଇନାହିଁ । କଂଗ୍ରେସ ପ୍ରାର୍ଥୀ ଉକ୍ତ ନିର୍ବାଚନ ମଣ୍ଡଳୀରେ ୪/୫ ଥର ହାରି ସାରିଛନ୍ତି ତଥା ବିଜେଡି ପ୍ରାର୍ଥୀନୀ ଅଭିଜ୍ଞ ଓ ଉଚ୍ଚ ଶିକ୍ଷିତା ହୋଇଥିଲେ ମଧ୍ୟ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପ୍ରାର୍ଥୀ । ତେଣୁ ଲଢେଇ ରୋଚକ ହେଉଛି । କିଛି ସ୍ୱାଧିନ ପ୍ରାର୍ଥୀ ମଧ୍ୟ ଅଛନ୍ତି ଓ ସେମାନେ ମଧ୍ୟ କିଛି ଭୋଟ ପାଇପାରନ୍ତି । କିନ୍ତୁ ଆଲୋଚ୍ୟର ବିଷୟ ହେଲା ଯେ ଆଦିବାସୀ ଭୋଟ ଏଥରକ ଆଉ ଏକତରଫା ଭାବରେ ପଡିବ ନାହିଁ ବୋଲି ସମସ୍ତେ ଆକଳନ କରୁଛନ୍ତି । ସାଧାରଣତଃ ଉପନିର୍ବାଚନମାନଙ୍କୁ ଶାସକ ଦଳ ସୁବିଧାରେ ରହନ୍ତି, କିନ୍ତୁ ଶାସନକୁ ଆସିଲା ପରେ ବିଜେପି ଗତ ୧୫/୧୬ ମାସ ମଧ୍ୟରେ ଯେଭଳି ଭାବରେ ଶାସନ ବିହୀନତାର ଅଭିଯୋଗରେ ଅଭିଯୁକ୍ତ ହେଉଛି, ତା ପାଇଁ ଏହି ନିର୍ବାଚନ ଏସିଡ ଟେଷ୍ଟ ଭଳି ହୋଇଛି । ଶାସନରୁ ଗଲା ପରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରୟିତା କେତେ ଅଛି ତାହା ଏହି ନିର୍ବାଚନରେ ପ୍ରମାଣିତ ହେବ । ଠିକ୍ ସେହିଭଳି କଂଗ୍ରେସ ଦଳକୁ ଲୋକେ ଗ୍ରହଣ କରିବାକୁ କେତେ ଚାହୁଁଛନ୍ତି ତାହା ମଧ୍ୟ ଏହି ନିର୍ବାଚନରେ ସାବିତ ହେବ । କିନ୍ତୁ କଥା ତାହା ନୁହେଁ । ସବୁ ଦଳ ଓ ସବୁ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ କେବଳ ପ୍ରତିଶୃତି ଦେଇଥାନ୍ତି, ମିଶ୍ରଣ ପର୍ବ ଓ ବାହାସ୍ପୋଟ ମାରିବାରେ ବ୍ୟସ୍ତ ଅଛନ୍ତି । ଲୋକଙ୍କ ମୌଳିକ ସମସ୍ୟା ଓ ପ୍ରଶ୍ନ ଏହି ନିର୍ବାଚନରେ ଆଲୋଚିତ ହେଉ ନାହିଁ । ଗତ ୩ ଦଶକ ହେଲା କୋଶଳାଞ୍ଚଳରେ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନ ଚାଲିଛି । ଦୁଇ ଦଶକ ଧରି କୋଶଳାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନ ଚାଲିଥିଲା । ଚାଷୀ ଆତ୍ମହତ୍ୟା, ଅଭାବୀ ବିକ୍ରି, ଦାଦନ ସମସ୍ୟା, ଟୋକନ ସମସ୍ୟା ଇତ୍ୟାଦି ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ରହିଛି । ବିଶେଷ କରି ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା । ସେହି ଜିଲ୍ଲାର ଅନେକ ସମସ୍ୟା ରହିଛି । ତେଣୁ ଏହି ପ୍ରସଙ୍ଗ ସବୁ ନିର୍ବାଚନରେ ଆଲୋଚିତ ହେବା କଥା । ତାହା ନ କରି କେବଳ କ୍ଷମତା ପାଇଁ ଦଳମାନେ ପାଗଳ ହେବା ବିଡମ୍ବନାର ବିଷୟ । ବିଭିନ୍ନ ସମୟରେ ନିଜର କିମ୍ବା ନିଜ ପରିବାରର ରାଜନୈତିକ ପତିଆରା ପାଇଁ କିଛି ନେତା କୋସଳ ନାଁ ଧରି ଦେଉଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଦଳର ନେତା ବିଗତ ଦିନରେ କୋଶଳ ଆନ୍ଦୋଳନକୁ ବିଭାଜିତ କରିବାକୁ ମଧ୍ୟ ପ୍ରୟାସ କରିଥିଲେ । କିନ୍ତୁ କେହି ହେଲେ କୋଶଳ ରାଜ୍ୟ ସପକ୍ଷରେ କିଛି କରୁନାହାନ୍ତି କିମ୍ବା ବୈଧାନିକ ପଦକ୍ଷେପ ନେଉନାହାନ୍ତି । ଏଣୁ ନୂଆପଡାର ଭୋଟର ଭାଇ ଭଉଣୀମାନେ ଭୋଟ ପୂର୍ବରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ କୋଶଳ ରାଜ୍ୟ ଦାବୀ ସଂପର୍କରେ ସ୍ପଷ୍ଟୀକରଣ ମାଗନ୍ତୁ ବୋଲି କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।