
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଶହେ ଅଠଚାଳିଶତମ ଜୟନ୍ତୀ ଅବସରରେ ଆମ୍ବାଗନସ୍ଥିତ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଭକ୍ତିପୂର୍ଣ୍ଣ କୁସୁମାଞ୍ଜଳି ଅର୍ପଣ କରାଯାଇଛି । ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସାହିତ୍ୟାନୁଷ୍ଠାନକୁ ପ୍ରତିନିଧିତ୍ଵ କରୁଥିବା ବହୁ ସାରସ୍ଵତ ସାଧକ ଗୋପବନ୍ଧୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ମହାପାତ୍ର ଗୋପବନ୍ଧୁଙ୍କ ଜୀବନବ୍ୟାପୀ ସଂଘର୍ଷ ଓ ସାହିତ୍ୟ ସାଧନା ସହିତ “ସମାଜ” ସମ୍ବାଦପତ୍ର ମାଧ୍ୟମରେ ଭଗ୍ନ ଉତ୍କଳର ଦୁଃଖ ଦୁର୍ଦ୍ଦଶାର ଚିତ୍ରକୁ ଉପସ୍ଥାପନ କରି କିପରି ଜାତୀୟତାର ଜାଗରଣର ଅଗ୍ନିହୋତ୍ରୀ ସାଜିଥିଲେ, ତତ୍ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ପତି ‘ମୁହୂର୍ତ୍ତେମାତର ଉଜ୍ଜ୍ୱଳି ପ୍ରଖର ଶିଖାଟେକି ହୁତାଶନ – – – “ ଜୀବନ ଜୀଇଁଥିବା ଗୋପବନ୍ଧୁ ବର୍ଷ, ମାସ, ଦିନ, ଦଣ୍ଡର ପ୍ରତିଟି ମୁହୂର୍ତ୍ତକୁ ସଦ୍ବ୍ୟବହାର କରି ଜାତି ହୀନ, ମାନଚିତ୍ର ହୀନ, ଭାଷାହୀନ ଗୋଡ଼ିମାଟିର ଗୋଟିଏ ଭୂଖଣ୍ଡକୁ “ମାଆ” ବୋଲି ସମ୍ବୋଧନ କରି, ବିଖଣ୍ଡିତ ଉତ୍କଳକୁ ଅଖଣ୍ଡ ଉତ୍କଳରେ ପରିଣତ କରିବା ପାଇଁ ଯେଉଁ ସେବା- ସାଧନା ଓ ସଂଘର୍ଷ କରିଥିଲେ, ତାହାର ସ୍ମୃତିଚିତ୍ର ପ୍ରଦାନ କରିଥିଲେ । ରାଉରକେଲା ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ, ବିଜୟ କୁମାର ସାହୁ, ସଂଗୀତ ସାଧକ ଶରତଚନ୍ଦ୍ର ପଣ୍ଡା, ସାହିତ୍ୟ ସାଧକ ଗଙ୍ଗାଧର ପୁହାଣ, କବି ଗୌତମ ଦାସ, ସମାଜସେବୀ ସଂଗଠକ ଖଦାଳ ସେଠୀ, କବି ଦିବାକର ଦାସ, ଧାମରା ସଂଘର ସମ୍ପାଦକ ସୁଶାନ୍ତ କୁମାର ନାୟକ ପ୍ରଭୃତି ବହୁ ସାହିତ୍ୟ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଗୋପବନ୍ଧୁ ଓ “ସମାଜ”କୁ ଭଲ ପାଉଥିବା ସାଧାରଣ ଜନତା ଗୋପବନ୍ଧୁଙ୍କ ସ୍ମୃତି ଚାରଣ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।