ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡି଼ଶା ସରକାର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି(ବାଳକ) ପ୍ରତିଯୋଗିତାରେ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଦ୍ମପୁର ୮ମ ଜୋନର ଜୋନାଲ୍ ଚାମ୍ପିୟନ ହୋଇଛି । ୧୧ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନେଇ ଗଠିତ ହୋଇଥିବା ୮ମ ଜୋନର ସମସ୍ତ ମ୍ୟାଚ୍ କଣ୍ଟାବାଞ୍ଜି ଭୋକେସନଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆରେ ଖେଳାଯାଇଥିଲା । ଚୂଡାନ୍ତ ମ୍ୟାଚରେ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧେକେଲାକୁ ୨୫-୦୬ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଥିଲା । ବିଜେତା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ମହାବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଦାଶ ପିଲାମାନଙ୍କର ବିଜୟ ଆମ୍ଭମାନଙ୍କର ତଥା ଆମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି କହିବା ସହିତ ଖେଳ ଶିକ୍ଷକ ସଦାନନ୍ଦ ସାହୁ ଏବଂ ସମସ୍ତ ଖେଳାଳୀମାନଙ୍କୁ ପ୍ରଶଂସା ତଥା ଆଗାମୀ ମୁନିସିପାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାରେ ହେବାକୁ ଥିବା ଜୋନ୍ ଫାଏନାଲ୍ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଥିଲେ । ପରିଶେଷରେ କ୍ରୀଡା ସଂସଦର ଉପସଭାପତି ଷଡ଼ାନନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।