ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ନୂଆଁଖାଇ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାନ ଗଣପର୍ବ “ନୂଆଁଖାଇ ଭେଟଘାଟ” ମହା ସମାରୋହରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଓ ସେମାନେ ଏହି ନୂଆଁଖାଇ ଭେଟଘାଟ ମାଧ୍ୟମରେ ଲୋକମାନଙ୍କ ଭିତରେ କିପରି ଭାଇଚାରା ବଳବତ୍ତର ହୋଇ ସାମାଜିକ ପ୍ରତିବଦ୍ଧତା ସୁଦୃଢ ହୁଏ ସେ ବିଷୟରେ ଆଲୋକପାତ କରିଥିଲେ । ଏହି ସାଂସ୍କୃତିକ ପରିଷଦ କିପରି ପଶ୍ଚିମ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ବିକଶିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ସେ ବିଷୟରେ ବିଧାୟକ ସାରଦା ପ୍ରସାଦ ନାୟକ ଦର୍ଶାଇଥିଲେ । ଆହୁରି କହିଥିଲେ ପରିଷଦର ନେତୃତ୍ୱରେ ନୂଆଁଖାଇକୁ ଜତୀୟ ସ୍ତରରେ ପରିଚିତ କରିବା ସହିତ ଏକ ତ୍ରିଦିବସୀୟ ପଶ୍ଚିମ ଓଡିଶା ମହୋତ୍ସବ ପାଳନ କରିବ ପାଇଁ ମତ ରଖି ଏ ନିମନ୍ତେ ତାଙ୍କର ଯଥୋଚିତ ସାହାଯ୍ୟ ଓ ସହଯୋଗର ପ୍ରତିଶ୍ରୁତି କରିଥଲେ । ସେହିପରି ପରିଷଦର ନିଜସ୍ୱ କାର୍ଯ୍ୟାଳୟ କିପରି ଆହୁରି କର୍ମ ମୁଖର ହୋଇପାରିବ ତାହା କହିଥିଲେ । ଭେଟଘାଟ କାର୍ଯ୍ୟକ୍ରମ ପାରମ୍ପରିକ “ପାହୁର” ଯାତ୍ରା, ମାଆ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ମହାଆଳତୀରୁ ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ପୁଲୀନ ରାଉତରାୟ ଓ ତାଙ୍କ ଦଳଙ୍କ ଦ୍ୱାରା ନୂଆଁଖାଇ ଆଧାରିତ ପ୍ରାରମ୍ଭିକ ସଂଗୀତ ପରିବେଷଣ ହୋଇଥିଲା । ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀ ପରିଷଦର କାର୍ଯ୍ୟକ୍ରମ ଗୁଡିକର ବିବରଣୀ ଉପସ୍ଥାପନ କରିଥିଲେ । ପରିଷଦର ସ୍ମରଣିକା “ଝୁଲକା”ର ସ୍ୱତନ୍ତ୍ର ନୂଆଁଖାଇ ସଂସ୍କରଣ ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଗତ ସମ୍ବଲପୁରୀ ଦିନ ଉପଲକ୍ଷେ ପରିଷଦର ଯେଉଁ ସଭ୍ୟ ଓ କଳାକାରମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଯଥା ଡକ୍ଟର କିଶୋରୀ ଦାଶ, ଶ୍ରୀକାନ୍ତ ଷଡ଼ଙ୍ଗୀ, ଡାକ୍ତର ସୁବୋଧ ମେହେର, ବନ୍ଦନା ବେହେରା, ଆର୍ୟା ପଣ୍ଡା, ରମେଶ ସୁନା, ସତ୍ୟ ନାୟକ, ଉମେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ତଥା ସମାଜସେବୀ ସନ୍ୟାସୀ ଯୋଷୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ପରିଷଦର ପୁରୁଖା ସଦସ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପୂର୍ବାହ୍ନରେ କୁଆଁରମୁଣ୍ଡାର ଘୁଙ୍ଗରୁଡ୍ୟାନ୍ସ ଏକାଡେମୀର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବନ୍ଦନା ବେହେରା ଓ ଇପ୍ସିତା ପଣ୍ଡା ସଂଚାଳନ କରି ଥିବାବେଳେ ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ସମ୍ବଲପୁରର ଜାତୀୟ ଖ୍ୟାତି ସମ୍ପନ୍ନ କଳାନୁଷ୍ଠାନ “ପଞ୍ଚବାଦ୍ୟ” ଦ୍ୱାରା ସମ୍ବଲପୁରୀ ରଙ୍ଗାରଙ୍ଗ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପଦ୍ମପୁରର ପ୍ରତିଭା ସମ୍ପନ୍ନ ଦୂରଦର୍ଶନର ଶିଶୁ କଳାକାର ଆଭାରାଣୀ ସାହୁ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ଭେଟଘାଟକୁ କାର୍ଯ୍ୟକ୍ରମ ଯେଉଁମାନଙ୍କ ସହଯୋଗରେ ସଫଳ ହୋଇଥିଲା ସେମାନେ ହେଲେ ଡାକ୍ତର ବିଜୟ ସାହୁ, ପଦ୍ମଲୋଚନ ବାଗ, ଅଶୋକ ଭଇସା ଏରିଅର ଜାଲ, ନିବାସ ଦାଶ, ଦେବାଶିଷ ମିଶ୍ର, ଶ୍ରୀପତି ତ୍ରିପାଠୀ, ପ୍ରବୀର ମିଶ୍ର, କେଶବ ସେଠ, ବିମଳ ପ୍ରଧାନ, ଦୁର୍ଗା ସାହୁ, ଡ. ସୁବୋଧ ମେହେର, ମନୋଜ ସେଠ, ଆଲୋକ ମହାପାତ୍ର , ଶୁଭେନ୍ଦୁ ପଣ୍ଡା, ମଦନ ବେହେରା, ଗୌରୀ ପ୍ରଧାନ, ନରେନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ପରିଷଦର ବରିଷ୍ଠ ସଦସ୍ୟ ଭାଗବାନ ପତି, ଡ. ବିଜୟ ସାହୁ, ଡ. ସନାତନ ପ୍ରଧାନ, ଡ. ଅଜୟ ମିଶ୍ର, ଜୟ ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.