ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ୭୫୦ ବୋତଲ ଏସକଫ୍ କଫ ସିରପ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବଲାଙ୍ଗିର ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟାଉନ ପୁଲିସ ଗାଡି ପେଟ୍ରୋଲିଂ କରୁଥିବା ବେଳେ ବସଷ୍ଟାଣ୍ଡରୁ ଏକ ଏସପ୍ରେସୋ ଗାଡି ନଂ ଓଡି ୦୩ଭି୩୫୭୯ ଯୋଗେ ବରପାଲିପଡାକୁ କଫ ସିରପ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ । ଉକ୍ତ ଗାଡି ରୋକି ତଲାସ କରିବାରୁ ସେଥିରୁ ୬ଟି ବ୍ୟାଗ ଭିତରୁ ୭୫୦ ବୋତଲ କଫ ସିରପ ପାଇଥିଲେ । କାର୍ରେ ଥିବା ଚାରିଜଣଙ୍କୁ ଗିରଫ କରିବା ସହ କାରକୁ ଏସକର୍ଟ କରୁଥିବା ପଲସର ବାଇକ ଚାଲକକୁ ମଧ୍ୟ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ୫ ଜଣ ଅଭିଯୁକ୍ତ ଶଙ୍କରଭୋଜିର ସୁରେନ୍ଦ୍ର ମଲ୍ଲିକ ଓ ରାଜିବ ମଲ୍ଲିକ, ଠିକାଦାର ପଡାର ପ୍ରଶାନ୍ତ ବାରିକ, ପଣ୍ଡରେନ ଗ୍ରାମର ଶତୃଘ୍ନ ବାଗ ଓ ରୁଗୁଡିପଡାର ପିତମ ଅଦାବରିଆ ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୧୧ ହଜାର ୨୦ ଟଙ୍କା ନଗଦ, ୬ ଗୋଟି ମୋବାଇଲ, ବ୍ୟବହୃତ କାର ଓ ମୋଟର ବାଇକ ପୁଲିସ ଜବତ କରିଥିବା ଏସ୍ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ।
