ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଉଦଘାଟନୀ ସଭାରେ ରତ୍ନମୟୀ ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ପୁଇଁନ୍ତଲା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଆରତୀ ସାହୁ ଉପସ୍ଥିତ ରହି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । କର୍ମଶାଳାର ଦ୍ୱିତୀୟ ଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସେବାଶ୍ରୀ ଭୋଇ ଏବଂ ଜିଲ୍ଲା ଶିକ୍ଷାବିଜ୍ଞାନ ସଂଯୋଜିକା ଡ. ମଧୁମିତା ଦାଶ ଯୋଗ ଦେଇ ନିର୍ମାଣ କରାଯାଇ ଥିବା ଶିକ୍ଷଣ ସାମଗ୍ରୀକୁ ଅବଲୋକନ କରି ନିଜର ସକାରାତ୍ମକ ପ୍ରତିକ୍ରିୟା ତଥା ବିଦ୍ୟାଳୟରେ ଏହି ସାମଗ୍ରୀ ପାଇଁ ଶିକ୍ଷକ ତଥା ଶିକ୍ଷାର୍ଥୀ ମଧ୍ୟରେ କିପରି ଏକ ଅନୁକୂଳ ପରିବେଶ ସୃଷ୍ଟି ହେବ ସେଥିପାଇଁ ଦିଗଦର୍ଶନ ଦେଇଥିଲେ । ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନର ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଏହି କାର୍ମଶାଳାରେ ପ୍ରଧାନ ଶିକ୍ଷକ ତ୍ରିନାଥ ପାତ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ, ରଞ୍ଜିତ ମିଶ୍ର, ଅଜିତ କୁମାର ଶତପଥୀ, ତରଣୀ ସେନ ଧରୁଆ, ସତ୍ୟ ନାରାୟଣ ସାହୁ ପ୍ରମୁଖ ସାଧନକର୍ମୀ ଯୋଗଦେଇଥିଲେ । ଉଜ୍ଜାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ପୁଇଁନ୍ତଲା ଶ୍ରୀମତୀ ପୁରୋହିତ ଓ ପୁଇଁନ୍ତଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଛମନ ପ୍ରଧାନ ଉପସ୍ଥିତ ରହି ଏହିପରି ସାମଗ୍ରୀର ବ୍ୟବହାର ଦ୍ଵାରା ଶିକ୍ଷ।ର୍ଥୀଙ୍କ ଶିକ୍ଷଣ ଆନନ୍ଦଦାୟକ, ଆଗ୍ରହଦ୍ଦୀପକ ହେବା ସଙ୍ଗେ ସଙ୍ଗେ ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.