ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ୨୦୨୫ ଆସନ୍ତା ୧୫ ତାରିଖ ଦିନ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହନୁମାନ ବାଟିକା ଠାରେ ଇସ୍କନ, ରାଉରକେଲା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇସ୍କନ ତରଫରୁ ପଶ୍ଚିମ ଓଡିଶା ଆଞ୍ଚଳିକ ସମ୍ପାଦକ ସିଦ୍ଧାନ୍ତ ଗୋବିନ୍ଦ ଦାସ, ପ୍ରଦୀପ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ଭୂୟାଁ, ସୁବାସ ଚନ୍ଦ୍ର ଅଗ୍ରୱାଲ, ଦୁଃଶାସନ ବେହେରା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ହନୁମାନ ବାଟିକାର କଲ୍ୟାଣୀ ମଣ୍ଡପଠାରେ ୧୫ ତାରିଖ ଦିନ ଦିବା ୧୨ ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏମସି କମିଶନର ଦିନା ଦସ୍ତଗିର, ସହ କମିଶନର ଅଜିତ ପଟ୍ଟନାୟକ, ଡିଏଫଓ ଯଶୋବନ୍ତ ସେଠୀ, ଜିଏସଟି ଅଧିକାରୀ ପ୍ରକାଶ ଚନ୍ଦ୍ର ଦୋରା ପ୍ରମୁଖ ଯୋଗଦେବେ ବୋଲି ସ୍ୱିକୃତି ଦେଇଛନ୍ତି । ସେହିଦିନ ଯଜ୍ଞାନୁଷ୍ଠାନ, ଅଭିଷେକ ଓ ରାତି ୧୨ ଠାରେ ପ୍ରସାଦ ବିତରଣ କରାଯିବ । ସେହିପରି ସର୍ବ କନିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଲିଖିତ ବୁଦ୍ଧିମତା, ଶ୍ଳୋକ ପଠନ ଓ ଲିଖନ, ନୃତ୍ୟ ପ୍ରତିଯୋଗିତା, ମାଠିଆ ଭଙ୍ଗା, ସନ୍ଧ୍ୟା ଆଳତି, ଜନ୍ମାଷ୍ଟମୀ ଉପଲକ୍ଷେ ବକ୍ତବ୍ୟ ଓ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ୧୬ ତାରିଖ ଦିନ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ଅତିଥି ଭାବେ ଯୋଗଦେବେ । ସେହିପରି ସର୍ବ କନିଷ୍ଠ, କନିଷ୍ଠ, ବରିଷ୍ଠ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପେଣ୍ଟିଂ, ଲିଖିତ ସାଧାରଣ ଜ୍ଞାନ, କୌତୁକ ପୋଷାକ, ରଚନା ଓ ଶ୍ଳୋକ ଲିଖନ, କନିଷ୍ଠ ବିଭାଗର ନୃତ୍ୟ, କନିଷ୍ଠ ଓ ବରିଷ୍ଠଙ୍କ ଗୃପ ନୃତ୍ୟ, ମାଠିଆ ଭଙ୍ଗା, ସନ୍ଧ୍ୟା ଆଳତି, ବକ୍ତବ୍ୟ, ପୁରସ୍କାର ବିତରଣ ଓ ଶ୍ରୀକୃଷ୍ଣଙ୍କ ଅଭିଷେକ କରାଯିବ । ୧୭ ତାରିଖ ଦିନ ଅତିଥି ଭାବେ ଆରଏମସିର ଯୁଗ୍ମ କମିଶନର ପଲ୍ଲବୀ ନାୟକ, ଜିଏସଟିର ଯୁଗ୍ମ କମିଶନର ସୁଶାନ୍ତ କୁମାର ସାହୁ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକାରୀ ସନ୍ଦୀପ ଶତପଥୀ ପ୍ରମୁଖ ଯୋଗଦେବେ । ସେହିପରି ସର୍ବ କନିଷ୍ଠ, କନିଷ୍ଠ, ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ଳୋକ ପଠନ, ଚିତ୍ରରେ ରଙ୍ଗ, ବକୃତା, ବରିଷ୍ଠଙ୍କ ନୃତ୍ୟ ପ୍ରତିଯୋଗିତା, ସ୍ୱାମୀ ପ୍ରଭୁପାଦଙ୍କ ଅଭିଷେକ, ପ୍ରସାଦ ସେବନ, ସନ୍ଧ୍ୟା ଆଳତି, ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ତ୍ରିଶକ୍ତି ଧାମ ପାର୍ଶ୍ଵରେ ଥିବା ଖାଲି ସ୍ଥାନରେ ଗାଡ଼ି ପାର୍କିଂ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ଜୟନ୍ତ ପ୍ରଧାନ ସାମ୍ବାଦିକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
