ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ମଧ୍ୟରେ ଗତ ଚାରି ତାରିଖ ଦିନ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ତୋଟା ପଡ଼ା ଗ୍ରାମର ବୁଟୁ ଜାନି ଭାସି ଯାଇ ମୃତ୍ୟୁ ବରଣ କରିଥିବା ଖବର ପ୍ରକାଶିତ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଗାଁ ଲୋକଙ୍କ ସହାୟତାରେ ଶବ ସଂସ୍କାର ହୋଇଗଲା ଏବେ ମୂରବୀ ବିହୀନ ପରିବାର ଲୋକେ ଦଶ ଦିନିଆ ଶୁଦ୍ଧି କ୍ରିୟା କେମିତି କରିବେ ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ପଞ୍ଚାୟତ ତୋଟା ପଡ଼ା ଗ୍ରାମର ବୁଟୁ ଜାନିଙ୍କ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ରେ ଭାସି ଯାଇ ମୃତ୍ୟୁ ମୁଖରେ ପଡ଼ିବାର ଇତି ମଧ୍ୟରେ ଆଠ ଦିନ ବିତି ଯାଇଛି । ଆଜି ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିବା ପରେ ପରିବାର ଲୋକେ ଅନେକ ଅକୁହା ବେଦନାକୁ ଆମ ଆଗରେ ପ୍ରକାଶ କରିଥିଲେ । ବୁ ଟୁ ଜାନିର ପୁଅ ସୁନା ସିଂହ ଜାନି ବିବାହ କରି ସାରିଥିବା ବେଳେ ଏବେ ତିନି ନାବାଳିକା ଝିଅ ଅମିତା, ରାଇତା ଓ ସଂଗୀତା ଉପରେ ପରିବାରର ବୋଝ । ସାମାଜିକ ଲୋକଙ୍କ ସହାୟତାରେ ଅନ୍ତେଷ୍ଟୀ ସରିଗଲା ହେଲେ ଦଶାହ ପାଇଁ ଘରେ କିଛି ନ ଥିବା ବିଧବା ପତ୍ନୀ ଓ ପୁଅ ସୁନା ସିଂହ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଏହି ନିସହାୟ ପରିବାର ଲୋକେ କେହି ହେଲେ ପଡ଼ି ଚାଉଳ କିମ୍ୱା ଆବାସ ଯୋଜନା ମଧ୍ୟ ପାଇଁ ନ ଥିବା ପ୍ରକାଶ କରିଥିଲେ । ଏଭଳି ଏକ ଦୁର୍ଦ୍ଦିନରେ ହରିଶ୍ଚନ୍ଦ୍ର ଯୋଜନା ମଧ୍ୟ ଅଦ୍ୟାବଧି ପହଞ୍ଚି ପାରି ନ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଗାଁ ଲୋକେ ସ୍ୱାବଲମ୍ବୀ ନ ଥାଇ ମଧ୍ୟ ବୁ ଟୁ ଜାନିର ପରିବାର ପ୍ରତି ସହାୟତାର ହାତ ବଢ଼ାଇ ଚାଲି ଥିବା ବେଳେ ପ୍ରଶାସନିକ ସହାୟତା କେବେ ମିଳୁଛି ତାହା ଦେଖିବାର ବେଳ ଆସିଛି ।
