ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” ଅନ୍ତର୍ଗତ ଆଜି ସମଗ୍ର ରାଜ୍ୟ ର ହିତାଧିକାରୀମାନଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲା ସ୍ଥିତ ଜୟପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ଏହି ତୃତୀୟ କିସ୍ତି ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ରାଜଗାଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷ ଏମ୍. ଡି. ଇରଫାନ ଅତିଥି ଭାବେ ଯୋଗ ଦେଇଥିଲେ । ରକ୍ଷା ବନ୍ଧନର ଶୁଭ ଅବସରରେ ସମସ୍ତ ଅତିଥି ମାନଙ୍କୁ ସୁଭଦ୍ରା ମା’ମାନେ ତ୍ରିରଙ୍ଗା ରାକ୍ଷୀ ବାନ୍ଧିଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ଼ା. ମହାପାତ୍ର ନିଜ ଅଭିଭାଷଣରେ କହିଥିଲେ “ଭଉଣୀ ମାନଙ୍କ ବିକାଶରେ ସମଗ୍ର ସମାଜର ବିକାଶ ହୋଇଥାଏ । ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହି ସହାୟତା ସମସ୍ତଙ୍କ ଆଶା ପୁରାଣ କରିବାରେ ସହାୟକ ହେବ” । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ରକ୍ଷା ବନ୍ଧନର ଶୁଭକାମନା ଜଣାଇଥିଲେ ଏବଂ ନିଜ ବକ୍ତବ୍ୟରେ କହିଥିଲେ ଯେ, “ସୁଭଦ୍ରା ଯୋଜନା ମା’ ମାନଙ୍କୁ ଆଗକୁ ବଢିବାର ବରିଷ୍ଠ ସୁଯୋଗ ଦେଇଛି । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣରେ ମଧ୍ୟ ସହାୟକ ହୋଇଛି । ଏହି ସହାୟତାକୁ ମା’ମାନେ ବିଭିନ୍ନ କାର୍ଯ୍ୟରେ ଉପଯୋଗ କରିଥାନ୍ତି ସେ ଗୃହ କାର୍ଯ୍ୟ ହେଉ ଅବା ଚାଷ କାମ କିମ୍ବା ପିଲାଙ୍କ ପାଠ ପଢା ତଥା ନିଜ ପରିବାରକୁ ମଧ୍ୟ ଆର୍ଥିକ ଭାବେ ସ୍ୱଚ୍ଛଳ କରିଥାନ୍ତି” । ଏହି ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ୪,୨୧,୪୫୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯାଇଛି । ସେହିଭଳି କାର୍ଯ୍ୟକ୍ରମରେ ଜୟପୁର ଠାରେ ହେଉଥିବା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଦର ବ୍ଲକର ସୁଭଦ୍ରା ହିତାଧିକାରୀ ମେନକା ସିଂହ, ରେବତୀ ଭୋଇ, ବାଲିଶଙ୍କରା ବ୍ଲକର ଇନ୍ଦୁମତୀ ନାୟକ, ଟାଙ୍ଗରପାଲି ବ୍ଲକର ଅନିମା ପଟେଲ, ଲେଫ୍ରିପଡ଼ା ବ୍ଲକର ମମତା ଅମାତ ଏବଂ ସବଡେଗା ବ୍ଲକର ପୂର୍ଣ୍ଣିମା ସେନାପତି ସୁଭଦ୍ରା ଯୋଜନାରେ ସାମିଲ ହୋଇ କିଭଳି ଭାବେ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ତାହା ଉପରେ ଅନୁଭବ ବାଣ୍ଟି ଥିଲେ । ସେହିଭଳି ଜିଲ୍ଲାରେ “ସୁଭଦ୍ରା ସଶକ୍ତିକରଣ” ବିଷୟ ବସ୍ତୁକୁ ନେଇ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ଆଜିର ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜନ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକର ସୁଭଦ୍ରା ହିତାଧିକାରୀମାନେ ଯୋଗ ଦେଇଥିଲେ ।