ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଅଧିନସ୍ଥ ପୁତୁଲାତଳେଇ – ନୂଆପଡ଼ା ରାସ୍ତାକୁ ଉନ୍ନତିକରଣ କଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ । ଏହି ରାସ୍ତାରେ ଦୈନିକ ଶହ ଶହ ଲୋକଙ୍କ ସହ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ରାସ୍ତାକୁ ମରାମତି କରିଥିବାରୁ ଅଞ୍ଚଳ ବାସୀ ଖୁସିବ୍ୟକ୍ତ କରିଛନ୍ତି । ଖରା ମାସରେ ଠିକ ଭାବେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ବର୍ଷା ମାସ ହେଲେ ଏଠାକାର ଲୋକ ମାନେ ରାସ୍ତାରେ କାଦୁଅ ପଚ ପଚ ହେବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ତଦନ୍ତ କରି ଏ ଦିଗରେ ପଦକ୍ଷେପ ନିଆଯାଇ ରାସ୍ତା ସମସ୍ୟାର ସମାଧାନ କରାଯାଉଥିବା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନକୁ ସ୍ଥାନୀୟ ଲୋକେ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇଛନ୍ତି ।
