ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଘଞ୍ଚ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟଭରା, ବଣପାହାଡ଼ ଘେରା କୁଆଁରୀ ଜଙ୍ଗଲ, ରିଜର୍ଭ ଜଙ୍ଗଲ, ରମାଇ ସଂରକ୍ଷିତ ଜଙ୍ଗଲ, ବାରପାହାଡ ଜଙ୍ଗଲକୁ ଲାଗି ରହିଥିବା ପ୍ରକୃତିର ବରଦାନ ଏହି ସିଁଯୋରୀ କଟାର ଯତ୍ନ, ସୁରକ୍ଷା ଯୋଗାଉଛନ୍ତି ଏ ଅଞ୍ଚଳ ପାଖରେ ଥିବା ଗ୍ରାମବାସୀ । ବଲାଙ୍ଗିର ଓ ସୋନପୁର ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପରିଦର୍ଶନ କଲେ ଓ ରାଜ୍ୟ ସରକାରଙ୍କୁ ସଠିକ୍ ଉପସ୍ଥାପନ କଲେ ଏକ ସମ୍ଭାବନା ସୃଷ୍ଟି ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ବିଗତ କିଛି ବର୍ଷ ହେଲା ପର୍ଯ୍ୟଟନକୁ ଗୁରୁତ୍ଵ ଦେଇଆସୁଛନ୍ତି । ଯେମିତିକି ଭୀମଡୁଙ୍ଗୁରୀ, ଗାଇଖାଇ ଅନେକ ସମ୍ଭାବନା ସୃଷ୍ଟି ହୋଇପାରିଛି । ସିଁଯୋରୀ କଟାରେ ଏକ ବହୁତ ବଡ଼ ଜଳାଶୟ ରହିଛି । ଯାହାକି ଗ୍ରୀଷ୍ମ ଋତୁରେ ମଧ୍ୟ ପାଣି ରହେ ଓ ତଳ ମୁଣ୍ଡର ଚାଷୀମାନେ ଚାଷ ମଧ୍ୟ କରିଥାନ୍ତି । ଏହି ସିଁଯୋରୀ କଟାକୁ ଗ୍ରୀଷ୍ମ ଋତୁରେ ଜୀବଜନ୍ତୁ, ପଶୁପକ୍ଷୀ ପାଣି ପିଇବା ପାଇଁ ଆସିଥାନ୍ତି । ଶୀତ ଋତୁରେ ଏ ଅଞ୍ଚଳର ପାଖରେ ଥିବା ଗ୍ରାମ ମାନଙ୍କରୁ ବଣଭୋଜି କରିବା ପାଇଁ ଓ ଜଙ୍ଗଲର ପ୍ରକୃତିକୁ ଉପଭୋଗ କରିବାକୁ ବିଭିନ୍ନ ଗୋଷ୍ଠିର ଲୋକମାନେ ଆସିଥାନ୍ତି । ଏହି ସ୍ଥାନରେ ଏକ ନଳକୂପ ଖୋଲାଯାଇଛି । ଯାହାକି ସ୍ୱଚ୍ଛ ପାଣି ପିଇବା ପାଇଁ ଉପଯୋଗୀ । ହାତୀ ମାନଙ୍କର ପ୍ରାଦୁର୍ଭାବ ଥିବାରୁ ଏକ ହାତୀ ନିରୀକ୍ଷଣ ଟାୱାର ତିଆରି କରାଯାଇଛି । ତା ସହିତ ଏକ ମାଛ ଜଗିବା ପାଇଁ ଗୃହ ତିଆରି କରାଯାଇଛି । ଏହି ସ୍ଥାନକୁ ଯିବାକୁ ହେଲେ ସମ୍ବଲପୁର ମୁଖ୍ୟରାସ୍ତାରୁ ସାଲେଭଟାରୁ ମାତ୍ର ୧୨.୫ କିଲୋମିଟର ରାସ୍ତା, ଯାହାକି ଗାଇଖାଇ ଡେମ୍ ଦେଖି ମଧ୍ୟ ପାଖରେ ଥିବା ସିଁଯୋରୀ କଟାକୁ ଦେଖି ପାରିବେ । ଆହୁରି ମଧ୍ୟ ପ୍ରସିଦ୍ଧ ଶିବପୀଠ ଯୋଗୀସର୍ଡା ଗ୍ରାମରେ ଥିବା ଶିବ ମହାପ୍ରଭୁ ଯୋଗେଶ୍ୱର ବାବାଙ୍କ ମନ୍ଦିର ପରିଦର୍ଶନ କରି ସାରିବା ପରେ ମାତ୍ର ୧୦ କିଲୋମିଟର ଯାଇ ବଣଭୋଜି କରି ପ୍ରକୃତିର ସୌନ୍ଦର୍ଯ୍ୟଭରା ସିଁଯୋରୀ କଟାକୁ ଯାଇପାରିବେ । ଏଭଳି ଏକ ବହୁ ସମ୍ଭାବନାମୟ ଦର୍ଶନୀୟସ୍ଥଳକୁ ଇକୋଟୁରିଜିମ ମାନ୍ୟତା ଦିଗରେ ଦୃଷ୍ଟି ଦେବାକୁ ସୋନପୁର ବିଧାୟକ, ଲୋଇସିଂହା ବିଧାୟକ ଏବଂ ସାଂସଦ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
