ଏକ ଚୋରି ଘଟଣାରେ ୨ ଚୋର ଗିରଫ ସହ ସୁନା ରୂପା ଅଳଙ୍କାର ଓ ଟାବଲେଟ୍ ଉଦ୍ଧାର

  • ଉଭୟ ଯୁବକ ଅନେକ ମାମଲାରେ ଅଭିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ ଏକ ବଡ଼ ଚୋରି ଘଟଣାରେ ୨ ଚୋରଙ୍କୁ ଗିରଫ କରିବା ସହିତ ଚୋରି ଯାଇଥିବା ସୁନା ଓ ରୂପା ଅଳଙ୍କାର ସହ ଟାବଲେଟ ମଧ୍ୟ ଜବତ୍ କରିଛି । ଏହି ଚୋରି ଘଟଣା ୨୨ ଏପ୍ରିଲରେ ଘଟିଥିଲା । ସୂଚନା ଅନୁସାରେ ସେକ୍ଟର-୨୦ ନିବାସୀ ଯୋଗେନ୍ଦ୍ର ନାଥ ମହାନ୍ତ ତାଙ୍କ ପରିବାର ସହିତ ଲହୁଣୀପଡ଼ା ଅଞ୍ଚଳର ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ୨୩ ଏପ୍ରିଲ ରାତିରେ ସେ ଘରକୁ ଫେରି ଦେଖିଲେ ଯେ, କୌଣସି ଅଜଣା ବ୍ୟକ୍ତି ତାଙ୍କ ଘରେ ଆଜବେଷ୍ଟସ୍ ଛାତ ଖୋଲି ଘରେ ପ୍ରବେଶ କରି ମୂଲ୍ୟବାନ ଅଳଙ୍କାର ଏବଂ ଏକ ଟାବଲେଟ୍ ଚୋରି କରି ନେଇଛନ୍ତି । ପରଦିନ ଏ ବିଷୟରେ ସେକ୍ଟର-୧୯ ଥାନାରେ ଅଭିଯୋଗ କରିବା ପରେ, ସେକ୍ଟର-୧୯ ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଜୋନ୍-୧ ଡି.ଏସ୍.ପି. ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ଉଭୟ ବୈଷୟିକ ଏବଂ ପାରମ୍ପରିକ ପଦ୍ଧତି ବ୍ୟବହାର କରି ତଦନ୍ତ କରାଯାଇଥିଲା । ତଦନ୍ତରୁ ମିଳିଥିବା ସୁରାକ ଆଧାରରେ, ୨ ଅଭିଯୁକ୍ତଙ୍କ ମଧ୍ୟରେ ସେକ୍ଟର-୧୬ର ଲିଟୁ ଓରଫ ସୌଭାଗ୍ୟ ନାୟକ (୨୩) ଏବଂ ଦଣ୍ଡିଆପାଲି ଅଞ୍ଚଳର ଭିକି ଯାଦବ (୨୫)ଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଥିଲା । ପଚରାଉଚରା ସମୟରେ, ଉଭୟ ସେମାନଙ୍କ ଅପରାଧ ସ୍ୱୀକାର କରିଥିଲେ ଏବଂ କେବଳ ଏହି ଘଟଣାରେ ନୁହେଁ ବରଂ ଅନ୍ୟାନ୍ୟ ଅନେକ ମାମଲାରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର ମଧ୍ୟ କରିଥିଲେ । ଜୋନ୍-୧ ଡିଏସପିଙ୍କ ତତ୍ୱାବଧାନରେ ତଦନ୍ତ ଜାରି ରହିଥିବା ବେଳେ ରାଉରକେଲାର ଡେଲି ମାର୍କେଟର ବଜାଜ୍ ଫାଇନାନ୍ସ ଲିମିଟେଡରୁ ଚୋରି ହୋଇଥିବା ଜିନିଷଗୁଡ଼ିକ ମଧ୍ୟରୁ ପୋଲିସ ଏକ ସୁନା ହାର (୧୬.୪୫ ଗ୍ରାମ), ଦୁଇ ଯୋଡ଼ା ସୁନା କାନଫୁଲ (୬.୯୦ ଗ୍ରାମ), ଏକ ସୁନା ଚେନ୍ (୩.୮୭ ଗ୍ରାମ) ଏବଂ ଏକ ଏସାର ଟାବଲେଟ୍ ଉଦ୍ଧାର କରିଛି । ବାକି ଜିନିଷଗୁଡ଼ିକ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଏନେଇ ସେକ୍ଟର ୧୯ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଦିଆଯାଇଥିବା ତଥ୍ୟ ଅନୁସାରେ ସେକ୍ଟର-୧୫ ଏବଂ ଅନ୍ୟାନ୍ୟ ଥାନାରେ ସୌଭାଗ୍ୟ ନାୟକଙ୍କ ବିରୁଦ୍ଧରେ ୨୩ଟି ଅପରାଧିକ ମାମଲା ରୁଜୁ ରହିଛି । ଯେଉଁଥିରେ ଆକ୍ରମଣ, ଚୋରି, ହତ୍ୟା ଉଦ୍ୟମ ଏବଂ ଘରୋଇ ହିଂସା ସମ୍ପର୍କିତ ଗୁରୁତର ଧାରା ଅନ୍ତର୍ଭୁକ୍ତ । ଅନ୍ୟ ଅଭିଯୁକ୍ତ ଭିକି ଯାଦବଙ୍କ ବିରୋଧରେ ସହରର ବିଭିନ୍ନ ଥାନାରେ ଅନେକ ଗୁରୁତର ଧାରା ଅଧୀନରେ ମାମଲା ରୁଜୁ ହୋଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଅନ୍ୟ ଚୋରି ମାମଲାରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଛି, ଯାହାର ତଦନ୍ତ ଚାଲିଛି । ପୋଲିସ୍ ପକ୍ଷରୁ ସାଧାରଣଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଛି । ପୋଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ଯେ ଏପରି ଅପରାଧୀ ତତ୍ତ୍ୱମାନଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଜୋନ୍-୧ ଡି.ଏସ୍.ପି. ଯୋଗେଶ୍ଵର ପଣ୍ଡାଙ୍କ ପକ୍ଷରୁ ସେକ୍ଟର-୧୯ ଥାନାରେ ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୁଲିସ୍ ଦ୍ୱାରା ଗିରଫ ୨ ଅଭିଯୁକ୍ତଙ୍କ ବିରୋଧରେ ସେକ୍ଟର-୧୯ ଥାନାରେ ବିଏନ୍ଏସ୍ ଧାରା ୩୩୧(୪)ଏବଂ ୩୦୫(ଏ)ରେ ମୋକଦ୍ଦମା ନମ୍ବର-୭୫ ରୁଜୁ କରାଯିବା ସହିତ ବିଏନ୍ଏସ୍ ଧାରା ୩୩୧(୪) ଓ ୩୦୫(ଏ) ଧାରାରେ ସେକ୍ଟର-୭ ଥାନାରେ ମୋକଦ୍ଦମା ନମ୍ବର-୮୦, ସେକ୍ଟର-୩ ଥାନାରେ ମୋକଦ୍ଦମା ନମ୍ବର-୧୦୧ ଏବଂ ସେକ୍ଟର-୧୫ ଥାନାରେ ମୋକଦ୍ଦମା ନମ୍ବର-୬୭ ରୁଜୁ କରାଯାଇଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ଶ୍ରୀ ପଣ୍ଡାଙ୍କ ବ୍ୟତୀତ ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ, ସେକ୍ଟର ୭ ଥାନା ପ୍ରଭାରୀ ଆର ଏନ୍ ପାତ୍ର, ସବଇନ୍ସପେକ୍ଟର ସର୍ବଶ୍ରୀ ରାଜେଶ ବେହେରା, ସୈାମ୍ୟରଞ୍ଜନ ଗିରି, ରବିନ୍ଦ୍ର ଭୁଇ, ରାକେଶ କୁମାର ସ୍ୱାଇଁ ତଥା ହିମାଂଶୁ ଶେଖର ନାୟକ, କବିତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.