oom

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ସଭା ଆୟୋଜିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୁଲାଇ ୧ତାରିଖରେ ଜାତୀୟ ଡାକ୍ତର ଦିବସ ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ, ଛତ୍ରପୁରଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ମଧୁମେହ, ରକ୍ତଚାପ, ହୃଦୟ ରୋଗ ଓ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗ ବିଷୟରେ ସୂଚନା ଓ ଉପଦେଶ ଦିଆଯିବା ସହିତ ମାଗଣା ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା କରାଯାଇଥିଲା । ଏହି ସଭାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ଡ. ତ୍ରିପାଠୀ କହିଥିଲେ ଡାକ୍ତର ଦିବସମାନେ କେବଳ ଏକ ତିଥି ନୁହେଁ, ଏହା ଏକ ସ୍ମୃତି ଓ ସମ୍ମାନର ଅବସର । ଯେଉଁମାନେ ଆମ ପାଇଁ ଦିନ ଓ ରାତି ଶ୍ରମ କରନ୍ତି, ଆମ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଥାନ୍ତି, ସେମାନଙ୍କୁ ଆଜି ଆମେ ସମ୍ମାନ ଜଣାଉଛୁ । ଡାକ୍ତର ହେବାମାନେ କେବଳ ଏକ ପେସା ନୁହେଁ, ଏହା ହେଉଛି ଏକ ଅନ୍ତଃକରଣର ଆବାହନ । ଡାକ୍ତରମାନେ ନିଜ ଜୀବନ, ପରିବାର ଏବଂ ଶାନ୍ତିକୁ ତ୍ୟାଗ କରି ଅନ୍ୟଙ୍କୁ ଜୀବନ ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ନିକୁଞ୍ଜ କୁମାର ଦାଶ, ଯିଏ ମଧୁମେହ ନିୟନ୍ତ୍ରଣ ପାଇଁ ଆହାର, ଅଭ୍ୟାସ ଓ ଜୀବନ ଶୈଳୀ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହି ରୋଗ ଦୀର୍ଘକାଳ ଅବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପ୍ରଭାବ ପକାଏ- ଯେପରିକି ହୃଦୟ, କିଡ୍‌ନି, ଚକ୍ଷୁ ଇତ୍ୟାଦି । ତେଣୁ ଏହାକୁ ଗଭୀରତା ସହିତ ନେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସଭାରେ ଅନ୍ୟତମ ଅତିଥି ଭାବରେ ଡା. ବିଷ୍ଣୁପ୍ରିୟା ସେଠୀ ଉପସ୍ଥିତ ରହି ମଧୁମେହ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ମଧୁମେହ, ଉଚ୍ଚରକ୍ତଚାପ ଆଦି ବର୍ତ୍ତମାନ ସମୟରେ ଗୋଟିଏ ବଡ଼ ଚିନ୍ତାର ବିଷୟ ପାଲଟିଲାଣି । ଦୁଃଖର କଥା ହେଉଛି, ଆମେ ଏତେ ବ୍ୟସ୍ତ ହୋଇଯାଉଛୁ ଯେ ନିଜ ଶରୀର ପାଇଁ ସମୟ ଦେବାକୁ ଆମେ ଭୁଲିଯାଉଛୁ । ବର୍ତ୍ତମାନ ସମୟରେ ନିଜ ଜୀବନ ଶୈଳୀକୁ ସୁସ୍ଥ ଓ ସଠିକ ଭାବରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଆମେ ପଦକ୍ଷେପ ନେବା ଉଚିତ୍‌ । ଏକ ଶକ୍ତିଶାଳୀ ମନ ଏବଂ ସରଳ ଜୀବନ ଶୈଳୀ ଦ୍ୱାରା ମଧୁମେହ ଆକ୍ରାନ୍ତ ବ୍ୟକ୍ତି ବିଶେଷ ମଧ୍ୟ ସାଧାରଣ ଜୀବନ ଯାପନ କରିପାରିବେ । ଛତ୍ରପୁର ରୋଟାରୀ କ୍ଲବର ଅଧ୍ୟକ୍ଷ ପଦ୍ମଚରଣ ସାହୁ ନିଜ ବକ୍ତବ୍ୟରେ କହିଥିଲେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା, ନିୟମିତ ଡାକ୍ତରୀ ପରୀକ୍ଷା କରିବା ଓ ନିଜ ଜୀବନରେ ସାଧାରଣ ସତର୍କତା ଅବଲମ୍ବନ କରି ଏହି ରୋଗଗୁଡିକୁ ଅଟକାଯାଇପାରିବ । ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ଅଧ୍ୟକ୍ଷ ବିମଳ କୁମାର ସାହୁ ରୋଟାରୀ କ୍ଲବର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ରୋଟାରୀ କ୍ଲବ୍‌ ସବୁବେଳେ ଚେଷ୍ଟା କରୁଛି କିପରି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପାରିବ । ସେଇ ଉଦ୍ଦେଶ୍ୟକୁ ଆଜିର ଏହି ସଭା ଅନେକାଂଶରେ ପୂରଣ କରୁଅଛି । ସେଥିପାଇଁ ସେ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇବା ସହିତ ଏପରି ଆହୁରି ଅନେକ କାର୍ଯ୍ୟକ୍ରମ ମିଳିତ ଭାବରେ ଆୟୋଜନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଡ. ଶୁଚିସ୍ମିତା ବେହେରା ନିଜର ମତରଖି ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବରେ ଅଭିହିତ କରିଥିଲେ । ସଭା ଶେଷରେ ଡାକ୍ତରଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ଉତ୍ତରୀୟ ପ୍ରଦାନପୂର୍ବକ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଡ. ମାନସ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ମିଲିମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.