
ନୂଆଦିଲ୍ଲୀ, (ପିଆଇବି) : ଜୁନ୍ ୨୫, ୨୦୧୫ରେ ଆରମ୍ଭ ହୋଇଥିବା ଅଟଳ କାୟାକଳ୍ପ ଓ ସହରୀ ପରିବର୍ତ୍ତନ ମିଶନ (ଅମୃତ) ଏକ ଦଶନ୍ଧି ପୂରଣ କରିବା ଅବସରରେ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ସାରା ଦେଶରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତି ପାଇଁ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛି । ଜଳ ଯୋଗାଣ, ସ୍ୱେରେଜ ବ୍ୟବସ୍ଥା ଏବଂ ଉନ୍ନତ ସହରାଞ୍ଚଳ ସୁବିଧା ପାଇଁ ସାର୍ବଜନୀନ ପ୍ରବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ମିଶନ ଭାରତର ସହରାଞ୍ଚଳ ପରିବର୍ତ୍ତନର ଏକ ପ୍ରମୁଖ ବାହକ ଭାବରେ ଉଭା ହୋଇଛି । ଭାରତୀୟ ସହରଗୁଡ଼ିକୁ ଜଳ-ସୁରକ୍ଷିତ, ସ୍ୱଚ୍ଛ ଏବଂ ବାସଯୋଗ୍ୟ କରିବାର ଦୃଷ୍ଟିକୋଣ ସହିତ ଆରମ୍ଭ ହୋଇଥିବା ଅମୃତ ଏହାର ୧୦ ବର୍ଷର ଯାତ୍ରାରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି । ଏହି ସମୟ ମଧ୍ୟରେ, ଅମୃତ ଏବଂ ଏହାର ଦ୍ୱିତୀୟ ପର୍ଯ୍ୟୟେ, ଅମୃତ ୨.୦ ଅଧୀନରେ ଟ.୨.୭୩ ଲକ୍ଷ କୋଟି ଟଙ୍କାର ୧୪,୮୨୮ ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ଏଥିମଧ୍ୟରୁ ଟ.୧.୧୨ ଲକ୍ଷ କୋଟି ଟଙ୍କାର କାର୍ଯ୍ୟ ସମାପ୍ତ ହୋଇଛି । ମିଶନର ଏକ ଉଲ୍ଲେଖନୀୟ ସଫଳତା ହେଉଛି ୨.୦୩ କୋଟି ଘରୋଇ ଟ୍ୟାପ୍ ପାଣି ସଂଯୋଗ ଏବଂ ୧.୫୦ କୋଟି ସ୍ୱେରେଜ୍ ସଂଯୋଗ ପ୍ରଦାନ, ଲକ୍ଷ ଲକ୍ଷ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଜଳ ସୁବିଧା ଏବଂ ପରିମଳ ସୁନିଶ୍ଚିତ କରିଛି । ଏହା ସହିତ, ୯୯ ଲକ୍ଷ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି, ଯାହା ବାର୍ଷିକ ୬୬୬ କୋଟି କେଡବ୍ଲୁଏଚ ସଞ୍ଚୟ କରିବାରେ ଏବଂ ୪୬ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ଅବଦାନ ରଖିଛି । ସହରାଞ୍ଚଳରେ ଅମୃତର ପ୍ରଭାବ ମଧ୍ୟ ଉଲ୍ଲେଖନୀୟ ହୋଇଛି । ତେରଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ମ୍ୟୁନିସିପାଲ୍ ବଣ୍ଡ ମାଧ୍ୟମରେ ଟ.୪,୯୮୪ କୋଟି ସଂଗ୍ରହ କରିଛି, ସହରାଞ୍ଚଳ ପ୍ରଶାସନ ଏବଂ ଆର୍ଥିକ ସ୍ଥାୟୀତ୍ୱକୁ ସୁଦୃଢ଼ କରିଛି । ମିଶନ ୯,୫୧୧ ଏକର ଜମିରେ ବିସ୍ତାରିତ ୫୪୪ ଜଳାଶୟକୁ ପୁନଃରୁଦ୍ଧାର କରିଛି, ପରିବେଶଗତ ସନ୍ତୁଳନ ଏବଂ ଭୂତଳ ଜଳର ବିକାଶ କରିଛି । ମିଶନ ପ୍ରଥମେ ୫୦୦ ଟି ସହର ଉପରେ ଧ୍ୟାନ ଦେଇଥିଲା, ପରେ ଜନସଂଖ୍ୟା ଏବଂ ସହର ସଂଖ୍ୟା ଆଧାରରେ ଏହାକୁ ୪୮୫ କୁ ସଂଶୋଧିତ କରାଯାଇଥିଲା । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଜଳ ଯୋଗାଣ, ସ୍ୱେରେଜ, ଝଡ଼ ଜଳ ନିଷ୍କାସନ, ସହରାଞ୍ଚଳ ପରିବହନ ଏବଂ ସବୁଜ ସ୍ଥାନ ସମେତ ବହୁବିଧ ଉପାଦାନରେ ସଂସ୍କାର, ଭିତ୍ତିଭୂମି ନିର୍ମାଣ ଏବଂ କ୍ଷମତା ବୃଦ୍ଧିକୁ ପ୍ରୋତ୍ସାହିତ କରିଛି । ମିଶନ ଅଧୀନରେ, ଟ.୭୭,୬୪୦ କୋଟି ଟଙ୍କାର ରାଜ୍ୟ ବାର୍ଷିକ ଆକ୍ସନ ପ୍ଲାନ (ଏସଏଏପି) ମଞ୍ଜୁର କରାଯାଇଥିଲା, ଯେଉଁଥିରେ ଟ.୩୫,୯୯୦ କୋଟିର ପ୍ରତିବଦ୍ଧ କେନ୍ଦ୍ରୀୟ ସହାୟତା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ଟ.୭୨,୬୫୬ କୋଟି ଖର୍ଚ୍ଚ ରିପୋର୍ଟ କରାଯାଇଛି ।ଅମୃତ ଦ୍ୱାରା ସ୍ଥାପନ କରାଯାଇଥିବା ଭିତ୍ତିଭୂମି ଉପରେ, ସରକାର ୧ ଅକ୍ଟୋବର, ୨୦୨୧ ରେ ଅମୃତ ୨.୦ ଆରମ୍ଭ କରିଥିଲେ, ଏକ ବିସ୍ତାରିତ ଦୃଷ୍ଟିକୋଣ ଏବଂ ଟ.୨.୯୯ ଲକ୍ଷ କୋଟିର ମୋଟ ବ୍ୟୟ ଅଟକଳ ସହିତ, ଟ.୭୬,୭୬୦ କୋଟି କେନ୍ଦ୍ରୀୟ ଅଂଶ ପାଞ୍ଚ ବର୍ଷ ପାଇଁ ଅନ୍ତର୍ଭୁକ୍ତ । ଅମୃତ ୨.୦ ଭାରତର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ କଭରେଜ୍ ପ୍ରଦାନ କରେ । ଅମୃତ ୨.୦ ଅଧୀନରେ ଏପର୍ଯ୍ୟନ୍ତ ଟ.୧.୧୪ ଲକ୍ଷ କୋଟି ଟଙ୍କାର ୩,୫୬୮ଟି ଜଳ ଯୋଗାଣ ପ୍ରକଳ୍ପ ଏବଂ ଟ.୬୭,୬୦୭ କୋଟି ଟଙ୍କାର ୫୯୨ଟି ସ୍ୱେରେଜ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଏଥିରେ ୧୮୧ ଲକ୍ଷ ନୂତନ ଟ୍ୟାପ୍ ସଂଯୋଗ, ୬୭.୧୧ ଲକ୍ଷ ନୂତନ ସ୍ୱେରେଜ ସଂଯୋଗ, ୧୦,୬୪୭ ଏମଏଲଡି ଜଳ ଉପଚାର କ୍ଷମତା ଏବଂ ୬,୭୩୯ ଏମଏଲଡି ସ୍ୱେରେଜ ଉପଚାର କ୍ଷମତା ଅନ୍ତର୍ଭୁକ୍ତ । ସ୍ମାର୍ଟ ଏବଂ ଟେକ୍-ସକ୍ଷମ ଶାସନ ପାଇଁ ଏକ ପ୍ରୟାସ ସ୍ୱରୂପ, ରିଅଲ୍-ଟାଇମ୍ ମନିଟରିଂ ଏବଂ ପରିଚାଳନା ପାଇଁ ୧,୪୮୭ ଜଳ ଯୋଗାଣ ଏବଂ ୨୩୫ ସ୍ୱେରେଜ ପ୍ରକଳ୍ପରେ ଏସସିଏଡିଏ (ପର୍ଯ୍ୟବେକ୍ଷଣ ନିୟନ୍ତ୍ରଣ ଏବଂ ଡାଟା ଆକ୍ୱିଜିସନ୍) ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହିତ, ପ୍ରଯୁକ୍ତିବିଦ୍ୟା ଉପ-ମିଶନ ୮୨ଟି ସହରରେ ୧୨୦ଟି ଷ୍ଟାର୍ଟ-ଅପ୍ସକୁ ଅଭିନବ ସହରାଞ୍ଚଳ ସମାଧାନ ପାଇଁ ସମର୍ଥନ କରିଛି । ‘ଜଲ୍ ହି ଅମୃତ’ ଭଳି ଅଭିନବ ପଦକ୍ଷେପ ଜଳ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଦକ୍ଷ ବର୍ଜ୍ୟଜଳ ଉପଚାର ଏବଂ ପୁନଃବ୍ୟବହାରକୁ ଉତ୍ସାହିତ କରେ । ଏହି ସମୟ ମଧ୍ୟରେ, ‘ଅମୃତ ମିତ୍ର’ କାର୍ଯ୍ୟକ୍ରମ ୧୦,୦୦୦ ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସଶକ୍ତ କରିଛି, ଯେଉଁଥିରେ ୧୭୬୨ ଟି କ୍ଷୁଦ୍ର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଅମୃତ ୨.୦ ଅନ୍ତର୍ଗତ ‘ନଳରୁ ପାନୀୟ ଜଳ’ ପ୍ରୟାସ ୨୩,୪୯୦ କୋଟି ଟଙ୍କା ମୂଲ୍ୟର ୩୮୧ ଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୮ ଲକ୍ଷ ପରିବାରକୁ ଲାଭ ପହଞ୍ଚାଇବା ପାଇଁ ସ୍ଥିର ହୋଇଛି । ଦକ୍ଷତା ବିକାଶ ଏକ ଦୃଢ଼ ଫୋକସ୍ କ୍ଷେତ୍ର ହୋଇ ରହିଛି, ଯେଉଁଥିରେ ଠିକାଦାର, ଅଧିକାରୀ, ପ୍ଲାଣ୍ଟ ଅପରେଟର, ମହିଳା ଏବଂ ଯୁବକଙ୍କ ସମେତ ୯୦,୦୦୦ ରୁ ଅଧିକ ବ୍ୟକ୍ତି ବୈଷୟିକ ଏବଂ ପରିଚାଳନାଗତ ଦିଗଗୁଡ଼ିକରେ ତାଲିମ ପ୍ରଦାନ କରାଯାଇଛି । ଟ.୩.୭୭ ଲକ୍ଷ କୋଟିର ମିଳିତ ଆର୍ଥିକ ବ୍ୟୟବରାଦ ସହିତ, ଯାହା ମଧ୍ୟରୁ ୧.୦୨ ଲକ୍ଷ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଭାବରେ ଆବଣ୍ଟିତ ହୋଇଛି ଏବଂ କେନ୍ଦ୍ର, ରାଜ୍ୟ ଏବଂ ୟୁଏଲବି ଦ୍ୱାରା ପୂର୍ବରୁ ୯୭,୯୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଅମୃତ ଭାରତର ସହରାଞ୍ଚଳ ବିକାଶ ଆଭିମୁଖ୍ୟକୁ ଏକ ନୂତନ ରୂପ ପ୍ରଦାନ କରିଛି। ଦେଇଛି । ଯେତେବେଳେ ଅମୃତ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରୁଛି, ଏହା ସହରାଞ୍ଚଳ ଯୋଜନାରେ ସ୍ଥାୟୀତ୍ୱ, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟାକୁ ଆହୁରି ଉନ୍ନତ କରିବାକୁ ପ୍ରତିଶ୍ରୁତି ଦେଉଛି, ଯାହା ଭାରତୀୟ ସହରଗୁଡ଼ିକୁ ଅଧିକ ବିକଶିତ ଏବଂ ନାଗରିକ-ଅନୁକୂଳ କରିବ । ଏହି ମିଶନ୍ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଉନ୍ନତ ଜୀବନଯାପନ ସୁନିଶ୍ଚିତ କରିବା ସହିତ ସହରଗୁଡ଼ିକୁ ଅଭିବୃଦ୍ଧିର ଇଞ୍ଜିନରେ ପରିଣତ କରିବାର ଭାରତର ଦୀର୍ଘକାଳୀନ ଦୃଷ୍ଟିକୋଣର ଏକ ପ୍ରମାଣ ।