
- “ଶିକ୍ଷା ହେଉଛି ଜାତୀୟ ପ୍ରଗତିର ମୂଳଦୁଆ” : କାଓଲେ
ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏନ୍ଆଇଟିର ସମାବର୍ତ୍ତନ ସମାରୋହରେ, ମୁଖ୍ୟଅତିଥି ଭାବେ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ.କାଓଲେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜି ସମସ୍ତଙ୍କ ପାଇଁ ଏକ ନୂତନ ଚ୍ୟାଲେଞ୍ଜପୂର୍ଣ୍ଣ ଅଧ୍ୟାୟ ଆରମ୍ଭର ସମୟ । ଶିକ୍ଷା ହେଉଛି ଜାତୀୟ ପ୍ରଗତିର ମୂଳଦୁଆ ଏବଂ ଏନ୍ଆଇଟି ରାଉରକେଲା ଭଳି ପ୍ରତିଷ୍ଠାନ ଏହି ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ପରିବର୍ତ୍ତନ ସହିତ ଖାପ ଖୁଆଇବା, ନିଜ ମୂଲ୍ୟବୋଧରେ ସ୍ଥିର ରହିବା ଏବଂ ସମାଜକୁ କିଛି ଫେରାଇବାକୁ ସର୍ବଦା ଚେଷ୍ଟା କରିବା ହେଉଛି ମୂଳମନ୍ତ୍ର। ଅସୀମ ସମ୍ଭାବନା ସହିତ ଯେତେବେଳେ ଏକ ବିଶ୍ୱରେ ପ୍ରବେଶ କରୁଛୁ ସେତେବେଳେ ଏହାର ପୂର୍ଣ୍ଣ ଲାଭ ଉଠାଅ ବୋଲି ଏନ୍ଆଇଟି ଛାତ୍ରଛାତ୍ରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ଏମସିଏଲ ଏବଂ କୋଲ୍ ଇଣ୍ଡିଆ, ଏନ୍ଆଇଟି ରାଉରକେଲାକୁ ଶିକ୍ଷାଗତ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି, ଯାହା ଦେଶରେ ଶୀର୍ଷ ସ୍ଥାନରେ ଅଛି । ଏହା ଅଧ୍ୟୟନ ପାଇଁ ଏକ ଭଲ କ୍ୟାମ୍ପସ୍ । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଏମସିଏଲ ଦ୍ୱାରା କରାଯାଇଛି । ଏମସିଏଲ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ, ୫୦୦ ଶଯ୍ୟା ବିଶିଷ୍ଟ ମହିଳା ହଷ୍ଟେଲ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ବୋଲି ଶ୍ରୀ କାଓଲେ ସୂଚନା ଦେଇଥିଲେ । କମ୍ପାନୀ ଶିକ୍ଷା ଏବଂ ପ୍ରତିଭାକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ପ୍ରଦାନ କରୁଛି । ଗତ କିଛି ବର୍ଷ ମଧ୍ୟରେ ଏମସିଏଲ ପକ୍ଷରୁ ୨୨୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବା ଏକ ବଡ଼ ସଫଳତା ଏବଂ ଏହା ଦେଶର ମୋଟ ଉତ୍ପାଦନର ୨୧ ପ୍ରତିଶତ ଏବଂ କୋଲ୍ ଇଣ୍ଡିଆର ମୋଟ ଉତ୍ପାଦନର ୨୯ ପ୍ରତିଶତ । ପରିବହନରେ ୬ରୁ ୭ ପ୍ରତିଶତ ଅଧିକ ଖର୍ଚ୍ଚ ହେଉଛି । ଏହା ବର୍ତ୍ତମାନ ଏକ ଚ୍ୟାଲେଞ୍ଜ । ଛାତ୍ରଛାତ୍ରୀମାନଙ୍କୁ ଏହି ଖର୍ଚ୍ଚ ହ୍ରାସ କରିବା ପାଇଁ କାମ କରିବାକୁ ପଡିବ। ୯୮ ପ୍ରତିଶତ ଖଣି ଖନନ କରାଯାଉଛି । ବିସ୍ଫୋରକ ମୁକ୍ତ ଉତ୍ପାଦନ ପାଇଁ ଯୋଜନା ଅଛି । ଉତ୍କର୍ଷ ଓଡ଼ିଶା ପାଇଁ ୯୩ହଜାର କୋଟି ଟଙ୍କା ଦିଆଯାଇଛି । ଏଥିରେ ସୌରଶକ୍ତି ମୁଖ୍ୟ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରାଯାଉଛି । ଶଙ୍କରାଚାର୍ଯ୍ୟଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ ଯେ, ଈଶ୍ୱର, ଗୁରୁଜନ, ପିତାମାତା ଏବଂ ଶିଷ୍ୟମାନେ ମଧ୍ୟ ପ୍ରଣାମ ପାଇବାକୁ ଯୋଗ୍ୟ । ଜ୍ଞାନ ଅର୍ଜନ କରି ଜଣେ ଗୁରୁ ହୋଇଆନ୍ତି ଏବଂ ଯିଏ ଜ୍ଞାନ ଆଶା କରନ୍ତି ସେ ଶିଷ୍ୟ । ଜ୍ଞାନର ଦୃଶ୍ୟମାନ ରୂପ ହେଉଛି ଗୁରୁ ସେତେବେଳେ ଅଦୃଶ୍ୟ ରୂପ ହେଉଛି ଶିଷ୍ୟ । ଗୁରୁ ପରି, ଶିଷ୍ୟ ମଧ୍ୟ ସମ୍ମାନ ପାଇବା ଆବଶ୍ୟକ । ବିଦ୍ୱାନମାନେ ସବୁଠି ସମ୍ମାନିତ ହୋଇଥାନ୍ତି ବୋଲି ଶ୍ରୀ କାଓଲେ କହିଥିଲେ । କାର୍ଯ୍ୟକ୍ରମରେ ଏନ୍ଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଚେୟାରମ୍ୟାନ ଏସ୍.ଏନ୍ ସୁବ୍ରମଣ୍ୟମ୍ ଭର୍ଚୁଆଲ୍ ମୋଡ୍ରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସମାବର୍ତନ ଉତ୍ସବ ର ମୁଖ୍ୟ ପ୍ରଫେସର ଶିବ ଶଙ୍କର ମହାପାତ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସମାବର୍ତ୍ତନ ଉତ୍ସବ ଅବସରରେ ବିଶିଷ୍ଟ ପୂର୍ବତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସ୍ୱୀକୃତି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୪ ପାଇଁ ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ରହିଛନ୍ତି, ଶିକ୍ଷା ଓ ଗବେଷଣାରେ ପ୍ରଫେସର ସୁକୁମାର ମିଶ୍ର । ଶିଳ୍ପ ଓ ପରିଚାଳନାରେ ଇଂ ଅଶୋକ କୁମାର ବାସା, ଉଦ୍ୟୋଗିତା ଓ ସାର୍ବଜନୀନ ଜୀବନ ପାଇଁ ଇଂ ଆର. ଏସ. ରାଘବନ ଏବଂ ପ୍ରତିଷ୍ଠାନର ଅଭିବୃଦ୍ଧିରେ ଅବଦାନ ଦେଇଥିବା ଡକ୍ଟର ଭାରତେନ୍ଦୁ ଦେଓ ଙ୍କୁ ବିବିଧ ଆଲୁମିନି ଆୱାର୍ଡ ପ୍ରଦାନ କରାଯାଇଥିଲା । ଏଥିସହ ଏନ୍ଆଇଟି ପ୍ରତିଷ୍ଠାନର ୨୦୨୪ ବ୍ୟାଚ ର ମୋଟ ୨୦୫୬ ଜଣଙ୍କୁ ବିବିଧ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ୧୦୬୧ ଜଣଙ୍କୁ ବି. ଟେକ,୨୧ ଜଣଙ୍କୁ ବି. ଆର୍ଚ୍ଚ, ୩୯ ଜଣଙ୍କୁ ଦ୍ୱେତ ଡିଗ୍ରୀ, ୬୮ ଜଣଙ୍କୁ ୫ ବର୍ଷୀୟା ଏମ. ଏସସି, ୧୮୦ ଜଣଙ୍କୁ ଏମ.ଏସସି,୬ ଜଣଙ୍କୁ ଏମଏ, ୪୩ ଜଣଙ୍କୁ ଏମବିଏ, ୪୬୯ ଜଣଙ୍କୁ ଏମଟେକ, ଜଣଙ୍କୁ ଏମଟେକ ରିସର୍ଚ୍ଚ ଓ ୧୭୭ ଜଣଙ୍କୁ ପିଏଚଡ଼ି ଡିଗ୍ରୀ ପ୍ରଦାନ କରାଯାଇଥିଲା । ଟପ୍ପରମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପ୍ରତିଷ୍ଠାନ ସ୍ୱର୍ଣ୍ଣ ପଦକ, ୬ଜଣଙ୍କୁ ଏଣ୍ଡାମେଣ୍ଟ ସ୍ୱର୍ଣ୍ଣ ପଦକ, ୭ଜଣଙ୍କୁ ଏଣ୍ଡାମେଣ୍ଟ ପୁରସ୍କାର ଏବଂ ୫୯ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏନ୍ଆଇଟି ରାଉରକେଲା ସମସ୍ତ ସ୍ନାତକ ଛାତ୍ରଙ୍କୁ ସହଜରେ ସେମାନଙ୍କର ଡିଗ୍ରୀ ପାଇବା ପାଇଁ ଏକ ଡିଜିଲକର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏନଆଇଟି ର ରେଜିଷ୍ଟାର ପ୍ରଫେସର ରୋହନ ଧିମାନ, ଡିନ ଏଚ.ବି ସାହୁ ଓ ଅନ୍ୟ ଡିନ ସମୂହ ଏବଂ ପ୍ରଫେସର ବୃନ୍ଦ, ଲୋକସମ୍ପର୍କ ଅଧିକାରୀ ଅର୍ଚ୍ଚନା ଗୁପ୍ତା, ଅନ୍ୟାନ୍ୟ ଅଧିକାରୀ, ଷ୍ଟାଫ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ ।