
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସ୍ପିଜି (ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍) କମାଣ୍ଡୋଙ୍କ ସହ ମିଶି ବ୍ଲୁ ବୁକ୍ ଅନୁସାରେ କମିଶନରେଟ୍ ପୁଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ମୋଦିଙ୍କ ରୋଡ୍ ସୋ’ ରୁଟ୍ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ । ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରିହର୍ସାଲ କରାଯିବ । ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୁଧବାର ସମାରୋହ ସ୍ଥଳରେ ସୁରକ୍ଷା ସ୍ଥିତିର ତଦାରଖ କରିଥିଲେ । ଏସ୍ପିଜି ଟିମ୍ ମଧ୍ୟ ସମାରୋହ ସ୍ଥଳରେ ଉପସ୍ଥିତ ଥିଲା । ରୋଡ୍ ସୋ’ ସୁରକ୍ଷା ବ୍ୟବସ୍ଥା ନେଇ ଏସ୍ପିଜି ଅଧିକାରୀମାନେ ଡିଆଇଜି (ଏସ୍ଟିଏଫ୍) ପିନାକ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ବିମାନବନ୍ଦରରୁ ଜୟଦେବ ବିହାର ଓ ଜନତା ମଇଦାନ ରାସ୍ତାରେ ପୁଲିସ ଛାଉଣି ହେବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଗସ୍ତ ନେଇ ଏସ୍ପିଜି ଅଧିକାରୀଙ୍କ ସହ ଗତକାଲିଠୁ ବିଚାରବିମର୍ଶ ଚାଲିଛି । ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ସମାରୋହ ପାଇଁ ୩୩ଜଣ ଏଡିସିପି, ୯୩ଜଣ ଏସିପି, ୧୦୬ଜଣ ଇନ୍ସପେକ୍ଟର, ୪୫୦ଜଣ ସବ୍ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ପାହ୍ୟା ଅଧିକାରୀ ମୁତୟନ ହେବେ । ମୋଦିଙ୍କ ରୋଡ୍ ସୋ ବେଳେ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍ ପୁଲିସ । ୨୪ ପ୍ଲାଟୁନ୍ ଫୋର୍ସ ଟ୍ରାଫିକ୍ ପରିଚାଳନା ପାଇଁ ସଜାଗ ରହିବେ । ଏହି ରୁଟ୍ରେ ପଡୁଥିବା ୯୨ଟି ଲେନ୍ ଓ ବାଇଲେନ୍କୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । କେହି ଡ୍ରୋନ୍ ଉଡ଼ାଇଲେ ଗୁଳି କରି ଖସାଇ ଦିଆଯିବ । ବିମାନବନ୍ଦରରୁ ଏଜି ଛକ, ରାଜଭବନ, ଜୟଦେବ ବିହାର, ଜନତା ମଇଦାନ ରାସ୍ତାର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍, ଉଚ୍ଚ ଅଟାଳିକାଗୁଡିକୁ ଯାଞ୍ଚ କରାଯାଇଛି । ଏସ୍ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି । ସନ୍ଧାନୀ କୁକୁର ଓ ବୋମା ଚିହ୍ନଟକାରୀ ଯନ୍ତ୍ର ଯୋଗେ ସମାରୋହସ୍ଥଳକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି ।