
କୋକସରା : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ୨ ଯୁବକ ମୃତ, ଜଣେ ନାବାଳକ ଗୁରୁତର । ସୋମବାର ବିଳମ୍ଵିତ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଭୋର୍ ୫ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ପରୁଆଗୁଡା ଗ୍ରାମର ରୋହିତ ପଟେଲ, ଜୁନାଗଡ ଥାନା ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଏବଂ ଲକ୍ଷ୍ମୀକାନ୍ତ ମାଝୀ (୧୪ ବର୍ଷ) ଏକ ବାଇକ୍ ଯୋଗେ ସୋମବାର ବିଳମ୍ଵିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦେଇ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିଲେ । ଦେପୁର ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ରୋହିତ ଏବଂ ଅଜୟର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ୍ମୀକାନ୍ତ ଗୁରୁତର ହୋଇଥିଲେ । ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଦୁଇ ଜଣକ ଶବ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ