
ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତେ ସ୍ୱଚ୍ଛତା ବିଷୟରେ କହୁଛନ୍ତି କିନ୍ତୁ ଯଦି ଆମେ ନିଜେ ସଫା ରହିବା ଆରମ୍ଭ କରୁ, ତେବେ ପରିବେଶ ମଧ୍ୟ ସଫା ହୋଇପାରିବ ବୋଲି ଏନଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି । ରାଉରକେଲାରେ ସାମାଜିକ ସଂଗଠନ କ୍ଲିନ୍ ଆଣ୍ଡ ଗ୍ରୀନର ପଞ୍ଚମ ବାର୍ଷିକୋତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଫେସର ରାଓ କହିଛନ୍ତି । ଯେ ସରକାର ସଫାସୁତୁରା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତେଣୁ ଆମେ ନିଜେ ସଫାସୁତୁରା ରହିବା ଓ ପରିବେଷକୁ ସଫା ରଖିବା ପାଇଁ ଅନ୍ୟକୁ ପ୍ରବାର୍ତ୍ତାଇପାରିବା ବୋଲି ଶ୍ରୀ ରାଓ କହିଛନ୍ତି । ବୈଠକରେ ସମ୍ମାନିତ ଅତିଥି ଭାବେ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ଏବଂ ମୁଖ୍ୟବକ୍ତା ଭାବେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ପାର୍ଥସାରଥୀ ଲାଲ ଯୋଗ ଦେଇ ସଂଗଠନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ବୋଲି କହିଥିଲେ । ସଂଗଠନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ସଭାପତିତ୍ୱ ଅଭିଭାଷଣ, ସମ୍ପାଦକ ପ୍ରଦୀପ କୁମାର ଦାସ ବାର୍ଷିକ ବିବରଣୀ ଏବଂ ସଂଗଠନ ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସହରର ବିବେକାନନ୍ଦ ପରିଡା ଏବଂ କୈଳାସ ଚନ୍ଦ୍ର ସ୍ୱାଇଁଙ୍କୁ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସଂଗଠନର ଦୁଇ ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ମିଶ୍ର ଏବଂ କୃତିବାସ ମିଶ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ପଞ୍ଚମ ବାର୍ଷିକୀ ଅବସରରେ, ପ୍ରଥମ ପର୍ଯ୍ୟାୟରେ ସକାଳେ ରାଉରକେଲା ସରକାରୀ ହସ୍ପିଟାଲ ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ମୋଟ ବତିଶ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତାରେ ସମ୍ପାଦକ ବିଭୂତି ବିଶ୍ୱାଳ, ସାଗର ପାଣି, ଆୟନ ଦାସ, ସାବିତ୍ରୀ ସାହୁ, ଶ୍ରେୟା କେସନ ସହରଜିତ ବିଶ୍ୱାଳ ଏବଂ ଅନ୍ୟମାନେ ସଫଳ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।